FeaturedGeneralLatest

ଆତଙ୍କବାଦୀର ଘରକୁ ବୋମା ମାରି ଉଡ଼ାଇ ଦେଲେ ଜଓ୍ବାନ

ଶ୍ରୀନଗର (ସଂକେତ ଟିଭି): ପହଲଗାମ ଆକ୍ରମଣରେ ଜଡିତ ସନ୍ଦିଗ୍ଧ ସ୍ଥାନୀୟ ଆତଙ୍କବାଦୀଙ୍କ ବିରୁଦ୍ଧରେ ବଡ଼ ଅଭିଯାନ ଆରମ୍ଭ ହୋଇଛି । ଅନନ୍ତନାଗ ଜିଲ୍ଲାର ବିଜବେହାରା ଏବଂ ତ୍ରାଲର ଗୋରୀ ଅଞ୍ଚଳରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଚାଲିଛି । ଏକ ଆତଙ୍କବାଦୀର ଘରକୁ ବୋମା ମାଧ୍ୟମରେ ଉଡ଼ାଇ ଦିଆଯାଇଥିବା ବେଳେ ଅନ୍ୟ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଘରକୁ ବୁଲଡୋଜର ସାହାଯ୍ୟରେ ଧ୍ୱଂସ କରାଯାଇଛି ।

ଦକ୍ଷିଣ କାଶ୍ମୀରର ଗୁରି ଗାଁରେ ସର୍ଚ୍ଚ ଅପରେସନ୍ ସମୟରେ ସୁରକ୍ଷା ବାହିନୀ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଘର ଉପରେ ବୋମା ମାଡ଼ କରିଥିଲେ । ସୂତ୍ର ଅନୁଯାୟୀ, ଘେରାବନ୍ଦୀ ଏବଂ ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀ ଘରେ ସନ୍ଦିଗ୍ଧ ବସ୍ତୁ ଦେଖିଥିଲେ । ବିପଦ ଅନୁଭବ କରି ସୁରକ୍ଷା ବଳ ପଛକୁ ହଟିଥିଲେ, ମାତ୍ର କିଛି ସମୟ ପରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ଘରଟି ଧ୍ୱଂସ ହୋଇଯାଇଥିଲା । ଏହି ଘରଟି ପହଲଗାମ ଆକ୍ରମଣରେ ଜଡିତ ଆତଙ୍କବାଦୀ ଆଦିଲର ଥିବା କୁହାଯାଉଛି ।

ଅନ୍ୟ ଏକ ଘଟଣାରେ, ଦକ୍ଷିଣ କାଶ୍ମୀରର ତ୍ରାଲରେ ଲସ୍କର ଆତଙ୍କବାଦୀ ଆସିଫ୍ ଶେଖର ଘର ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଛି । ଜମ୍ମୁ ଓ କାଶ୍ମୀର ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ କରିଥିଲେ । ଆସିଫ୍ ଏବଂ ଆଦିଲ ଉଭୟେ ପହଲଗାମ ଆକ୍ରମଣ ସହିତ ଜଡିତ ଥିବା ଅଭିଯୋଗ ରହିଛି । ସେମାନେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସାହାଯ୍ୟ କରି ପହଲଗାମରେ ବୈଶରନ ଘାଟିରେ ହିଂସାତ୍ମକ ଆକ୍ରମଣ କରିବାରେ ସହଯୋଗ କରିଥିଲେ ବୋଲି କୁହାଯାଉଛି ।

ଏହି ଘଟଣା ସହିତ, ଆଜି ଏଲଓସିରେ (LOC) ପାକିସ୍ତାନୀ ସେନାକୁ ଜବାବ ଦେଇଛନ୍ତି ଭାରତୀୟ ସୈନ୍ୟବାହିନୀ । ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଆତଙ୍କିତ ହୋଇ ସୀମାରେ ଅଗ୍ରମ ଫାୟାରିଂ ଆରମ୍ଭ କରିଥିଲା । ଜବାବରେ ଭାରତୀୟ ସୈନ୍ୟମାନେ ମଧ୍ୟ ପ୍ରତିଶୋଧ ନେଇଥିଲେ । ସାରା ରାତି ଧରି ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଚାଲିଥିଲା ।

ଉଲ୍ଲେଖନୀୟ ଯେ, ମଙ୍ଗଳବାର ଦିନ ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଅକସ୍ମାତ୍ ଗୁଳି ଚଳାଇ ୨୬ ଜଣଙ୍କୁ ହତ୍ୟା କରିଥିଲେ । ସେନା ପୋଷାକ ପିନ୍ଧିଥିବା ଆତଙ୍କବାଦୀମାନେ ପ୍ରଥମେ ପର୍ଯ୍ୟଟକଙ୍କ ଧର୍ମ ବିଷୟରେ ପଚାରି, ପରିଚୟପତ୍ର ଯାଞ୍ଚ କରି ହିନ୍ଦୁ ବୋଲି ଚିହ୍ନଟ କରି ନିର୍ମମ ଭାବରେ ଗୁଳି କରିଥିଲେ । ମୃତଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ, ୨ ଜଣ ବିଦେଶୀ ଏବଂ ୨ ଜଣ ସ୍ଥାନୀୟ ନାଗରିକ ଥିଲେ ।