FeaturedLatestNews

ରାଜ୍ୟରେ କାଳବୈଶାଖୀ ବର୍ଷା ଆରମ୍ଭ, ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି। ଆଜି ମଧ୍ୟ ଏହି ସ୍ଥିତି ଦେଖାଦେବ, କିନ୍ତୁ ଅପରାହ୍ନରେ ଏଥିରେ ଅଳ୍ପ ସୁଧାର ହେବାର ସମ୍ଭାବନା ରହିଛି। ଆଜି କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଆରମ୍ଭ ହୋଇଛି, ଏବଂ ରବିବାରଠାରୁ ଏହାର ପ୍ରଭାବ ବଢ଼ିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ଯେ, ଆଜିଠାରୁ ୩୦ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ବର୍ଷା ହେବ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଶନିବାର ଝାରସୁଗୁଡ଼ା, ବୌଦ୍ଧ, ସମ୍ବଲପୁର ଓ ବଲାଙ୍ଗିର ଆଦି ଜିଲ୍ଲାରେ ତାପମାତ୍ରା ଅଧିକ ରହିବ। ଏହି ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ଲହରୀ ସୃଷ୍ଟି ହେବାର ଆଶଙ୍କା ରହିଛି। ଉପକୂଳବର୍ତ୍ତୀ ଜିଲ୍ଲା ଯେପରିକି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଉଷ୍ମ ଓ ଆର୍ଦ୍ର ପାଣିପାଗ ରହିବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।

ଅନ୍ୟ ପଟେ, ଗତକାଲିଠାରୁ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଆରମ୍ଭ ହୋଇଛି। ଶନିବାର ମଧ୍ୟ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ଆଶଙ୍କା ରହିଛି। ମାଲକାନଗିରି, ଗଞ୍ଜାମ, କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାରେ ୩୦-୪୦ କିମି ବେଗରେ ପବନ ସହିତ ବିଜୁଳି ଘଡ଼ଘଡ଼ି ଓ ବର୍ଷା ହେବା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି। ରବିବାରଠାରୁ କାଳବୈଶାଖୀ ପ୍ରଭାବ ବଢ଼ିବା ସହିତ ଅଧିକାଂଶ ସ୍ଥାନରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏହି ସ୍ଥିତି ବୃଦ୍ଧି ପାଇବାରୁ ରବିବାରଠାରୁ ପରବର୍ତ୍ତୀ ୩ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।