FeaturedLatestNews

ଏପ୍ରିଲ୍ ୨୯ରୁ ଜୁନ୍ ୨୭ ପର୍ଯ୍ୟନ୍ତ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ

ପୁରୀ (ସଂକେତ ଟିଭି): ରତ୍ନଭଣ୍ଡାରର ମରାମତି କାମ ଏପ୍ରିଲ୍ ୨୯ରୁ ଜୁନ୍ ୨୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଜୁନ୍ ୨୮ରେ ପୁନର୍ବାର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ଜଣାଇଛନ୍ତି ।

ଏହି ସମୟରେ ଅକ୍ଷୟ ତୃତୀୟା, ବାହାର ଚନ୍ଦନ, ଭିତର ଚନ୍ଦନ, ସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରା ପରି ମହାପ୍ରଭୁଙ୍କ ବିଭିନ୍ନ ବିଶେଷ ନୀତି ଅନୁଷ୍ଠିତ ହେବାରୁ ମରାମତି କାମକୁ ବିରାମ ଦିଆଯାଇଛି। ଡକ୍ଟର ପାଢୀ କହିଛନ୍ତି ଯେ, ମରାମତି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସତ୍ତ୍ୱେ ତରବରିଆ ଭାବେ କାମ କରାଯିବ ନାହିଁ।

ଆଜି ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏଏସଆଇ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରତ୍ନଭଣ୍ଡାର ମରାମତି ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ବର୍ତ୍ତମାନ ମରାମତି କାମ ପ୍ରାୟ ଶେଷ ପର୍ଯ୍ୟାୟରେ ଅଛି, ମାତ୍ର ପୂର୍ଣ୍ଣାଙ୍ଗ କାମ ସମାପ୍ତ ପାଇଁ ଆଉ କିଛି ସମୟ ଲାଗିପାରେ ବୋଲି ଜଣାଯାଇଛି।