FeaturedGeneralLatestPolitics

ସର୍ବଦଳୀୟ ବୈଠକରେ ମୋଦିଙ୍କ ଅନୁପସ୍ଥିତିକୁ ନେଇ ଖଡ଼ଗେଙ୍କ କଡା ସମାଲୋଚନା

ନୂଆଦିଲ୍ଲୀ (ସଂକେତ ଟିଭି): ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ସାମ୍ପ୍ରତିକ ଆତଙ୍କବାଦୀ ଆକ୍ରମଣକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କେନ୍ଦ୍ର ସରକାରଙ୍କୁ କଠୋର ଆକ୍ଷେପ କରିଛନ୍ତି। ଏହି ଘଟଣାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ଅନେକ ଆହତ ହୋଇଥିବା ବେଳେ, ଖଡ଼ଗେ ଏହାକୁ “ଅତ୍ୟନ୍ତ ଚିନ୍ତାଜନକ” ବୋଲି କହିଛନ୍ତି। ସେ କେନ୍ଦ୍ର ସରକାରଙ୍କ ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗଦାନ କରିଥିଲେ, ଯେଉଁଥିରେ ଲୋକସଭା ଏବଂ ରାଜ୍ୟସଭାର ବିରୋଧୀ ନେତାମାନେ ଉପସ୍ଥିତ ଥିଲେ।

ଖଡ଼ଗେ କହିଛନ୍ତି ଯେ, ଏପରି ଜରୁରୀକାଳୀନ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁପସ୍ଥିତି “ଦୁର୍ଭାଗ୍ୟଜନକ”। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନିର୍ବାଚନୀ ଭାଷଣ ଦେବା ପାଇଁ ବିହାର ଯାଇପାରିଲେ, କିନ୍ତୁ ଦେଶର ସୁରକ୍ଷା ନେଇ ଗମ୍ଭୀର ଆଲୋଚନାରେ ଯୋଗ ଦେଇପାରିଲେ ନାହିଁ। ଏହା ଦର୍ଶାଏ ଯେ ସରକାର ଏହି ଘଟଣାକୁ ଗମ୍ଭୀରତାର ସହିତ ନେଉନାହାଁନ୍ତି।” ସେ ପ୍ରଶ୍ନ ଉଠାଇଛନ୍ତି ଯେ ଏହି ଆକ୍ରମଣ କିପରି ସମ୍ଭବ ହେଲା ଏବଂ ଏଥିରେ ସୁରକ୍ଷା ବାହିନୀ, ଗୁଇନ୍ଦା ବିଭାଗ, କିମ୍ବା ସ୍ଥାନୀୟ ପୋଲିସଙ୍କ ଭୂମିକା କ’ଣ ଥିଲା?

ଖଡ଼ଗେ ଉଲ୍ଲେଖ କରିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ସ୍ୱୀକାର କରିଛନ୍ତି ଯେ ଏହା ଏକ “ସୁରକ୍ଷା ତ୍ରୁଟି” ଥିଲା। ଖଡ଼ଗେ କହିଛନ୍ତି, “ଏହି ଘଟଣା ଏକ ଗମ୍ଭୀର ଚେତାବନୀ ଏବଂ ସରକାର ଏହାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରି ଦୃଢ଼ ପଦକ୍ଷେପ ନେବା ଉଚିତ।” ସେ ମତ ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ନିଜେ ଆସି ଏହି ବିଷୟରେ ଦେଶକୁ ସ୍ପଷ୍ଟୀକରଣ ଦେବା ଉଚିତ ଥିଲା।