ଦେଶର ପ୍ରଥମ ଟେସଲା ସାଇବଟ୍ରକ୍ ଆମଦାନି କରି ଚର୍ଚ୍ଚାରେ ସୁରତର ବ୍ୟବସାୟୀ
ଅହମଦାବାଦ (ସଂକେତ ଟିଭି): ଗୁଜରାଟର ସୁରଟ ନିବାସୀ ଓ ଜଣାଶୁଣା ବ୍ୟବସାୟୀ ଲାଭଜି ଦାଳିଯା, ଯିଏକି ଲାଭଜି ବାଦଶାହ ନାମରେ ପ୍ରସିଦ୍ଧ, ସେ ଏବେ ଏକ ନୂଆ ଟେସଲା ସାଇବରଟ୍ରକ୍ କାର୍ କିଣି ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ହୋଇଛନ୍ତି। ଏହି କାରଟି ହେଉଛି ଟେସ୍ଲା କମ୍ପାନୀର ଫାଉଣ୍ଡେସନ୍ ସିରିଜ୍ ମଡେଲ୍, ଯାହା ଭାରତରେ ଏ ପର୍ଯ୍ୟନ୍ତ କାହାରି ପାଖରେ ନାହିଁ। ଲାଭଜିଙ୍କ ଜ୍ୟେଷ୍ଠ ପୁତ୍ର ପିୟୁଷ ଦାଳିଯା କହିଛନ୍ତି ଯେ, ଏହି କାରର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା।
ଲାଭଜି ପରିବାର ଛଅ ମାସ ପୂର୍ବେ ଆମେରିକାର ଟେକ୍ସାସ୍ ରେ ଥିବା ଏକ ଟେସଲା ଶୋରୁମରେ ଏହି କାର୍ ବୁକ୍ କରିଥିଲେ। ଡେଲିଭାରି ପରେ, ପରିବାର କାରଟିକୁ ଦୁବାଇରେ ଆର୍.ଟି.ଓ. ରେଜିଷ୍ଟର୍ କରି ସମୁଦ୍ର ପଥରେ ଭାରତ ଆଣିଥିଲେ। ସେମାନେ କାରରେ ନିଜ କମ୍ପାନୀର ନାମ ‘ଗୋପୀନ’ ମଧ୍ୟ ଲିଖିତ କରିଛନ୍ତି।
ପିୟୁଷ କହିଛନ୍ତି, “କାର୍ ଟି ସୁରଟ ପହଞ୍ଚିବା ପରେ ମୁଁ ମୋ ପିତାମାତା ଓ ଭାଇ ସହିତ ଚଳାଇଥିଲି। ଏଭଳି ଏକ କାର୍ ଚଳାଇବା ଅନୁଭୂତି ଅଦ୍ଭୁତ ଥିଲା। ଆମେ ଆଶା କରୁଛି ଟେସଲା ଭାରତରେ ମଧ୍ୟ ଶୋରୁମ୍ ଖୋଲିବ।” ଏହି ଇଲେକ୍ଟ୍ରିକ୍ କାର୍ ଛଅ ଘଣ୍ଟା ଚାର୍ଜରେ ୫୫୦ କି.ମି. ଯାଏ ଚଳିପାରେ।
ଲାଭଜି ବାଦଶାହ ମିଡିଆକୁ କହିଛନ୍ତି, “ଏବେ ଆମେ କାରଟି କେବଳ ସୁରଟରେ ଚଳାଉଛୁ, କାରଣ ଲୋକେ ଏହାର ଡିଜାଇନ୍ ଓ ଫିଚର୍ ଦେଖିବାକୁ ବହୁତ ଉତ୍ସୁକ। ଯେଉଁଠି ଯାଉଛୁ, ୫୦ରୁ ୧୦୦ ଲୋକ ଜମା ହୋଇଯାଉଛନ୍ତି। କାରଟିର ବଡି ସ୍ଟେନଲେସ୍ ଷ୍ଟିଲ୍ ରେ ତିଆରି ଏବଂ ଏହାର ଟାୟାର୍ ଖରାପ ରାସ୍ତାରେ ମଧ୍ୟ ଚଳିପାରେ।”
୫୫ ବର୍ଷୀୟ ଲାଭଜି ଦାଳିଯା ଜଣେ ରିଏଲଇଷ୍ଟେଟ ମାଲିକ, ହୀରା ବ୍ୟବସାୟୀ ଏବଂ ପାୱାର୍ ଲୁମ୍ ମାଲିକ। ୧୩ ବର୍ଷ ବୟସରେ ସେ ଭାବନଗରରୁ ସୁରଟ ଆସି ହୀରା ପଲିସ୍ ଭାବରେ କାମ ଆରମ୍ଭ କରିଥିଲେ ଏବଂ ପରେ ଏକ ବଡ଼ ବ୍ୟବସାୟିକ ସାମ୍ରାଜ୍ୟ ଗଠନ କରିଛନ୍ତି। ସେ ‘ଗୋପୀନ ଗ୍ରୁପ୍’ର ସ୍ଥାପକ, ଯାହାକି ରିଏଲ୍ ଇଷ୍ଟେଟ୍, ନନ୍-ପ୍ରଫିଟ୍ ଇନିସିଏଟିଭ୍ ଏବଂ ଇନଭେଷ୍ଟମେଣ୍ଟ୍ କ୍ଷେତ୍ରରେ କାମ କରେ।
ସାମାଜିକ ସେବା ପାଇଁ ସେ ‘ବାଦଶାହ’ ନାମରେ ପରିଚିତ। ୨୦୧୫ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଟ୍ ନିଲାମରେ ବିଡ୍ କରିଥିଲେ, ମାତ୍ର ସଫଳ ହୋଇପାରିନଥିଲେ। ୨୦୧୭ରେ ତାଙ୍କ ‘ବାଦଶାହ ସୁକନ୍ୟା ସ୍ମୃତି ଯୋଜନା’ ଅଧୀନରେ ପଟେଲ୍ ସମ୍ପ୍ରଦାୟର ଦୁଇ ଝିଅ ଥିବା ପରିବାରକୁ ସାହାଯ୍ୟ ମଧ୍ୟ କରିଛନ୍ତି।