EducationFeaturedLatestNews

ଛୋଟ ପିଲାଙ୍କୁ ସ୍କୁଲରେ ‘ଯାଦୁପେଡ଼ି’ କିଟ୍ ବାଣ୍ଟିବେ ରାଜ୍ୟ ସରକାର

ଭୁବନେଶ୍ୱର (ସଂକେତ ଟିଭି): ଶୈଶବ ଶିକ୍ଷାକୁ ଆହୁରି ଆମୋଦଦାୟକ ଓ ପ୍ରଭାବଶାଳୀ କରିବା ପାଇଁ ରାଜ୍ୟ ସରକାର ଏକ ନୂତନ ପଦକ୍ଷେପ ନେଇଛନ୍ତି। ସରକାର ଛୋଟ ପିଲାଙ୍କ ପାଇଁ ଯାଦୁପେଡ଼ି ବାଣ୍ଟିବେ, ଯାହା ଖେଳ ଏବଂ ମନୋରଞ୍ଜନ ମାଧ୍ୟମରେ ଶିକ୍ଷାକୁ ମନୋରଞ୍ଜନମୟ କରିବ। ଏହି ଯାଦୁପେଡ଼ି କିଟ୍ ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପିଲାମାନଙ୍କୁ ଦିଆଯିବ। ରାଜ୍ୟର ୪୫ ହଜାରରୁ ଅଧିକ ସ୍କୁଲକୁ ଏହି କିଟ୍ ବିତରଣ କରାଯିବ ଏବଂ ଏଥିପାଇଁ ୯୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଯାଦୁପେଡ଼ିରେ ପିଲାମାନଙ୍କ ପାଇଁ ଆକର୍ଷଣୀୟ ପୁସ୍ତକ, ପୁସ୍ତିକା, ଚିତ୍ର ସଂକଳନ ଏବଂ ବିଭିନ୍ନ ଶିକ୍ଷାମୂଳକ ଖେଳନା ରହିଛି। ଏହି ସାମଗ୍ରୀଗୁଡ଼ିକ ମାଧ୍ୟମରେ ପିଲାମାନେ ଗଣିତ, ସାଧାରଣ ବିଜ୍ଞାନ, ଭୂଗୋଳ ଓ ସାଧାରଣ ଜ୍ଞାନ ବିଷୟରେ ସହଜରେ ଶିଖିପାରିବେ। ଏଥିରେ ଏନ୍‌ସିଇଆରଟି (NCERT) ଦ୍ୱାରା ପ୍ରସ୍ତୁତ ଶିକ୍ଷାସାମଗ୍ରୀ ରହିଛି, ଯାହା ପିଲାଙ୍କୁ ପାଠ ପ୍ରତି ଆକୃଷ୍ଟ କରିବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନରେ ଯାଦୁପେଡ଼ି ପରିଦର୍ଶନ କରି ଏହାର ଉପଯୋଗିତା ବିଷୟରେ ଜାଣିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ଶାଳିନୀ ପଣ୍ଡିତ ମୁଖ୍ୟମନ୍ତ୍ରୀଙ୍କୁ ଯାଦୁପେଡ଼ିର ବିଭିନ୍ନ ସାମଗ୍ରୀ ବିଷୟରେ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଏହାକୁ ପିଲାଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି କହିଛନ୍ତି। ତାଙ୍କ ମତରେ, ଏହି ଖେଳନା ଓ ଶିକ୍ଷାସାମଗ୍ରୀ ମାଧ୍ୟମରେ ପିଲାମାନେ ନିଜ ପାରିପାର୍ଶ୍ୱିକ ଜ୍ଞାନ ବୃଦ୍ଧି କରିପାରିବେ ଏବଂ ପାଠ ପ୍ରତି ଆଗ୍ରହୀ ହେବେ।

ନୂତନ ଶିକ୍ଷା ନୀତି ୨୦୨୦ର ଲକ୍ଷ୍ୟ ଅନୁସାରେ ଶିଶୁଙ୍କ ଶିକ୍ଷାକୁ ଖେଳ ଓ କ୍ରିୟାତ୍ମକ ଶିକ୍ଷା ମାଧ୍ୟମରେ ଆକର୍ଷଣୀୟ କରାଯାଇଛି। ଏହି ଯାଦୁପେଡ଼ି ପ୍ରକଳ୍ପ ଏହି ଲକ୍ଷ୍ୟକୁ ସାକାର କରିବାରେ ସହାୟକ ହେବ। ପ୍ରତ୍ୟେକ କିଟ୍ ପ୍ରସ୍ତୁତି ପାଇଁ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି ଏବଂ ରାଜ୍ୟସାରା ଏହା ପ୍ରଦାନ କରାଯିବ।