ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜଧାନୀର ଓୟୁଏଟି ଫାର୍ମରେ ଅଖିମୁଠି ଅନୁକୂଳ କରିଛନ୍ତି। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଏକାମ୍ର ବିଧାୟକ ବାବୁ ସିଂହ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଜମିରେ ହଳଲଙ୍ଗଳ ଧରି ହଳ ଚଲାଇ ପରମ୍ପରାଗତ କୃଷି କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ।
ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ କହିଛନ୍ତି, “କୃଷି ଓ କୃଷକଙ୍କ ପାଇଁ ଅକ୍ଷୟ ତୃତୀୟା ଏକ ସ୍ୱତନ୍ତ୍ର ପର୍ବ। ମହାପ୍ରଭୁଙ୍କ ଆଶୀର୍ବାଦରେ ଏହି ଅନୁକୂଳ ଶୁଭ ହେଉ। ଚାଷୀଙ୍କ ଅମାର ଫସଲରେ ପରିପୂର୍ଣ୍ଣ ହେଉ ଏବଂ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ।”
ସେପଟେ ରାଜ୍ୟପାଳ ହରିବାବୁ କମ୍ଭମପତି ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଗ୍ରାମରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା କାର୍ଯ୍ୟକ୍ରମରେ ଅଖିମୁଠି ଅନୁକୂଳ କରିଛନ୍ତି। ଏହି ଅବସରରେ ଇସ୍ପାତ, ଖଣି ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଉପସ୍ଥିତ ଥିଲେ। ରାଜ୍ୟପାଳ ଏବଂ ମନ୍ତ୍ରୀ ଜେନା ଜମିରେ ହଳ ଚଲାଇ କୃଷି ପରମ୍ପରାକୁ ସମ୍ମାନ ଜଣାଇଥିଲେ।
ମନ୍ତ୍ରୀ ଜେନା କହିଛନ୍ତି, “ଅକ୍ଷୟ ତୃତୀୟା ଚାଷୀଙ୍କ ପାଇଁ ଏକ ଆତ୍ମୀୟ ପର୍ବ। ମୁଁ ନିଜେ ଜଣେ ଚାଷୀ ହୋଇଥିବାରୁ ଏହି ଅନୁଭୂତି ମୋତେ ଗର୍ବିତ କରୁଛି।” ଏହି କାର୍ଯ୍ୟକ୍ରମ ପରେ ରାଜ୍ୟପାଳ ଗୋପାଳପୁରରେ ଜିଲ୍ଲାର ବିଭିନ୍ନ ବିକାଶ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି।