FeaturedLatestNewsPolitics

ଜାତିଭିତ୍ତିକ ଜନଗଣନା ଅନୁମୋଦନ ପରେ ରାଜ୍ୟରେ ରାଜନୈତିକ ହଟଚମଟ

ଭୁବନେଶ୍ୱର (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରିମଣ୍ଡଳ ଜାତିଭିତ୍ତିକ ଜନଗଣନାକୁ ଅନୁମୋଦନ ଦେବା ପରେ ରାଜ୍ୟରେ ରାଜନୈତିକ ପ୍ରତିକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ କଂଗ୍ରେସ କହିଛି ଯେ, ରାହୁଲ ଗାନ୍ଧି ଦୀର୍ଘଦିନ ଧରି ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରି ଆସୁଥିଲେ । ଲୋକସଭାରେ ସେ ସମ୍ବିଧାନ ହାତରେ ଧରି ଯୁକ୍ତିଯୁକ୍ତ ତଥ୍ୟ ପ୍ରଦାନ କରିଥିଲେ, ମାତ୍ର ବିଜେପି ନେତାମାନେ ତାହାକୁ ତୁଚ୍ଛ କରିଦେଇଥିଲେ । ଏବେ ସତ୍ୟର ବିଜୟ ହୋଇଛି ବୋଲି କଂଗ୍ରେସ ମତ ରଖିଛି ।

ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, “କେନ୍ଦ୍ର ସରକାର ଜାତି ଜନଗଣନାର କାର୍ଯ୍ୟଧାରା ଓ ରୂପରେଖ ସ୍ପଷ୍ଟ ଭାବେ ଘୋଷଣା କରନ୍ତୁ । ଏହାକୁ ଆମେ ସ୍ୱାଗତ କରୁଛୁ ।” ଏହି ପ୍ରସଙ୍ଗରେ ବିଜେଡି ମଧ୍ୟ ସକ୍ରିୟ ଭାବେ ନିଜ ମତାମତ ରଖୁଛି ଏବଂ ପୂର୍ବରୁ କରାଯାଇଥିବା ଦାବିକୁ ପୁନର୍ବାର ସ୍ମରଣ କରାଇଛି ।

ସେହିପରି ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ବିଜୁ ଜନତା ଦଳ (ବିଜେଡି) ନେତୃବୃନ୍ଦ ନିଜର ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ବରିଷ୍ଠ ନେତା ଅରୁଣ ସାହୁ କହିଛନ୍ତି, ସମସ୍ତେ ଦାବି କରୁଥିଲେ ଜାତିଭିତ୍ତିକ ଜନଗଣନା ହେଉ । ବିଜେଡି ମଧ୍ୟ ଏହି ଦାବି ଉଠାଇଥିଲା । ୨୦୧୦ ମସିହାରେ ସଂସଦରେ ବିଜେଡି ଏହି ପ୍ରସଙ୍ଗ ଉଠାଇଥିଲା ଏବଂ ସଂସଦୀୟ କମିଟି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଦାବି ଜଣାଇଥିଲେ । ବିଧାନସଭା ଏବଂ ଷ୍ଟାଣ୍ଡିଂ କମିଟିରେ ମଧ୍ୟ ଜାତିଭିତ୍ତିକ ଜନଗଣନା କଥା ବିଜେଡି ଉଠାଇଥିଲା ।

୨୦୨୦ ମସିହାରେ ଜନଗଣନା ହେବା କଥା ଥିଲେ ମଧ୍ୟ କୋଭିଡ୍-୧୯ ଯୋଗୁଁ ଏହା ବନ୍ଦ ରହିଥିଲା । ପରେ ମଧ୍ୟ ଏହା ଆୟୋଜିତ ହୋଇନଥିଲା । ଏଥିପାଇଁ ବିଜେଡି ଆନ୍ଦୋଳନ କରିଥିଲା ଏବଂ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଏବଂ କହିଛନ୍ତି ଯେ ଏହାଦ୍ୱାରା ଏସ୍‌ସି, ଏସ୍‌ଟି ଏବଂ ଓବିସି ବର୍ଗ ଉପକୃତ ହେବେ ।

ବିଜେଡିର ମୁଖ୍ୟ ଦାବି ହେଲା ଯେ, ସାମାଜିକ, ଅର୍ଥନୈତିକ ଏବଂ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ଜାତିଭିତ୍ତିକ ଜନଗଣନା ସମୟରେ ଚିହ୍ନଟ କରାଯାଉ । ସଂରକ୍ଷଣ ସୀମା ୫୦%ରୁ ଅଧିକ କରାଯାଇ ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ସୁଯୋଗ ସୁବିଧା ଦିଆଯାଉ । ଆର୍ଥିକ ଅନଗ୍ରସର ବର୍ଗଙ୍କୁ ଅଗ୍ରାଧିକାର ଦିଆଯାଇ ଯେଉଁ ଜାତିର ସଂଖ୍ୟା ଯେତେ, ସେମାନଙ୍କ ଭାଗ ସେତେ ହେବା ଆବଶ୍ୟକ ବୋଲି ଅରୁଣ ସାହୁ କହିଛନ୍ତି ।

ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ତିନି ଦଶନ୍ଧିରୁ ଅଧିକ ସମୟ ଧରି ବିଭିନ୍ନ ସଂଗଠନ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରି ଆସୁଛନ୍ତି । ୨୦୨୦ ମସିହାରେ ବିଧାନସଭାରେ ବିଜେଡି ସରକାର ଏକ ବିଲ୍ ଆଣି ଓବିସି କମିସନ୍ ଗଠନ କରିଥିଲେ । ସେ କହିଛନ୍ତି, “ଆମର ଲଢେଇର ସ୍ୱୀକୃତି ଗତକାଲି ମିଳିଛି । ବିଜେପି ପୂର୍ବରୁ ଜାତିଭିତ୍ତିକ ଜନଗଣନାକୁ ବିରୋଧ କରୁଥିଲା, ମାତ୍ର ଦାବି ବଢ଼ିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।”

ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ କହିଛନ୍ତି, “ଜାତିଭିତ୍ତିକ ଜନଗଣନା ଏକ ଆବଶ୍ୟକତା ଥିଲା, ମାତ୍ର କେନ୍ଦ୍ର ସରକାର ଏଥିପାଇଁ ସବୁବେଳେ ପଛେଇଥିଲେ । ଏବେ ଆଂଶିକ ଭାବେ ସେମାନେ ମାନିଛନ୍ତି, ମାତ୍ର ଏହା ନିର୍ବାଚନୀ ଷ୍ଟଣ୍ଟ ନହେବା ଉଚିତ୍ ।”