ଖୋଲିଲା କେଦାରନାଥ ମନ୍ଦିରର କପାଟ, ଫଟୋ ଓ ଭିଡିଓ ଉଠାଇବା ଉପରେ ପ୍ରତିବନ୍ଧକ
ଡେରାଡୁନ (ସଂକେତ ଟିଭି): କେଦାରନାଥ ଧାମରେ ଫଟୋ ଉଠାଉଥିବା କିମ୍ବା ରିଲ୍ସ ବନାଉଥିବା ଭକ୍ତଙ୍କୁ ସାବଧାନ ରହିବାକୁ କୁହାଯାଇଛି । କାରଣ, କେଦାରନାଥ ମନ୍ଦିରର ୩୦ ମିଟର ପରିସର ଭିତରେ ଫଟୋ ଓ ଭିଡିଓ ରେକର୍ଡିଂ ଉପରେ କଟକଣା ଲଗାଯାଇଛି । ଯଦି କେହି ଏହି ନିୟମ ଭାଙ୍ଗିବା ଦେଖାଯାନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉଲ୍ଲଂଘନକାରୀଙ୍କ ମୋବାଇଲ କିମ୍ବା କ୍ୟାମେରା ଜବତ କରାଯିବା ସହିତ ୫୦୦୦ ଟଙ୍କା ଜରିମାନା ଦେବାକୁ ପଡିପାରେ ।
କେଦାରନାଥ ମନ୍ଦିର କମିଟି ଏହି ନିଷ୍ପତ୍ତି ନେଇଛନ୍ତି । ମନ୍ଦିର ପରିସର ମଧ୍ୟରେ ମୋବାଇଲ, କ୍ୟାମେରା କିମ୍ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ ଯନ୍ତ୍ର ନେଇ ପ୍ରବେଶ କରିବା ଉପରେ ପ୍ରତିବନ୍ଧକ ଆରୋପିତ ହୋଇଛି । ଗତବର୍ଷ ଅନେକ ଭକ୍ତ ମନ୍ଦିର ପରିସରରେ ରିଲ୍ସ ଓ ଭିଡିଓ ବନାଉଥିବା ଦେଖାଯାଇଥିଲା, ଯାହାଦ୍ୱାରା ଅନ୍ୟ ଭକ୍ତଙ୍କ ପାଇଁ ଅସୁବିଧା ସୃଷ୍ଟି ହେଉଥିଲା । ଏହି ଅସୁବିଧା ଦୂର କରିବା ପାଇଁ ଏବର୍ଷ ଏହି ନିୟମ ପ୍ରଣୟନ କରାଯାଇଛି ।
ସେପଟେ ଆଜି ଶୁକ୍ରବାର ସକାଳ ୭ଟାରେ କେଦାରନାଥ ମନ୍ଦିରର କପାଟ ଖୋଲାଯାଇଛି । ମନ୍ଦିର ଖୋଲିବା ସହିତ ପ୍ରାୟ ୧୫ ହଜାର ଭକ୍ତ ବାବାଙ୍କ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ଘଣ୍ଟା, ଶଙ୍ଖଧ୍ୱନି ଓ “ହର ହର ମହାଦେବ” ଜୟଧ୍ୱନିରେ ମନ୍ଦିର ପରିସର ଗଜି ଉଠିଥିଲା ।
ଉତ୍ତରାଖଣ୍ଡର ଦେବଭୂମି କେଦାରନାଥ ଧାମରେ ବୈଦିକ ରୀତିନୀତି ଅନୁସାରେ କପାଟ ଖୋଲାଯାଇଛି । ଏହି ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉପସ୍ଥିତ ଥିବା ଭକ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ନିଜେ ମନ୍ଦିର ଭିତରେ ପ୍ରବେଶ କରି ବାବା କେଦାରନାଥଙ୍କ ଦର୍ଶନ କରିଥିଲେ । ଏହି ଉତ୍ସବରେ ହେଲିକପ୍ଟର ମାଧ୍ୟମରେ ଆକାଶରୁ ଫୁଲ ବର୍ଷଣ କରାଯାଇଥିଲା, ଯାହା ଅନୁଷ୍ଠାନକୁ ଅଧିକ ମାନ୍ୟତା ପ୍ରଦାନ କରିଥିଲା ।