FeaturedLatestNews

ତାଳସାରି ଓ ଚାନ୍ଦିପୁର ବେଳାଭୂମିର ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ

ବାଲେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାରଙ୍କ ବରିଷ୍ଠ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ତାଳସାରି ଏବଂ ଚାନ୍ଦିପୁର ବେଳାଭୂମି ପରିଦର୍ଶନ କରି ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ସକାଳ ୧୧ଟାରେ ଭୁବନେଶ୍ୱରରୁ ବିମାନରେ ଯାତ୍ରା କରି ମଧ୍ୟାହ୍ନ ୧ଟାରେ ତାଳସାରି ହେଲିପେଡ୍ ରେ ଅବତରଣ କରିଥିଲେ।

ସେଠାରେ ଉପମୁଖ୍ୟମନ୍ତ୍ରୀଙ୍କୁ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ ହେମନ୍ତ ସିଂ ସମେତ ଅନେକ ବରିଷ୍ଠ ଅଧିକାରୀ ସ୍ୱାଗତ କରିଥିଲେ। ପରେ ସେ ତାଳସାରି ସମୁଦ୍ର ବେଳାଭୂମିରେ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିଥିଲେ।

ତାଳସାରି ଓ ଚାନ୍ଦିପୁର ବେଳାଭୂମିରେ ଆଡ଼ି ବନ୍ଧ, ରାସ୍ତା ନିର୍ମାଣ, ଆଲୋକୀକରଣ ଆଦି କାର୍ଯ୍ୟ ପରିଦର୍ଶନ କରି ଉପମୁଖ୍ୟମନ୍ତ୍ରୀ ସେଠାର ପର୍ଯ୍ୟଟନ ସୁବିଧା ବୃଦ୍ଧି ପାଇଁ ଆବଶ୍ୟକ ଦିଗନିର୍ଦେଶ ଦେଇଥିଲେ। ପର୍ଯ୍ୟଟନ ବିଭାଗ ସଚିବ ବଲବନ୍ତ ସିଂହ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଏହି ଅବସରରେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବସ୍ତା ବିଧାୟିକା ସୁବାସିନୀ ଜେନା, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେସିର୍କେ ଆଦି ଉପସ୍ଥିତ ଥିଲେ। ପୋଲିସ, ଚିକିତ୍ସା ଓ ପ୍ରଶାସନିକ ବିଭାଗ ଏହି କାର୍ଯ୍ୟକ୍ରମ ସଫଳ କରିବାରେ ସହଯୋଗ କରିଥିଲେ।