ପାକିସ୍ଥାନ ସେନା ଓ ଆଇଏସଆଇ ଷଡ଼ଯନ୍ତ୍ରରେ ହୋଇଥିଲା ପହଲଗାମ ଆତଙ୍କବାଦୀ ଆକ୍ରମଣ
ନୂଆଦିଲ୍ଲୀ (ସଂକେତ ଟିଭି):୨୨ ଏପ୍ରିଲ ୨୦୨୫ରେ ଜାମ୍ମୁ ଓ କାଶ୍ମୀରର ପହଲଗାମର ବୈସାରନ ଉପତ୍ୟକାରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିଲା। ଏହି ନୃଶଂସ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ୨୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ଜାତୀୟ ତଦନ୍ତ ସଂସ୍ଥା (NIA) ଦ୍ୱାରା କରାଯାଇଥିବା ତଦନ୍ତର ପ୍ରାରମ୍ଭିକ ରିପୋର୍ଟରେ ପାକିସ୍ତାନର ଏକ ଗଭୀର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି।
NIAର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା, ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇ ଏବଂ ପାକିସ୍ତାନୀ ସେନାର ସମ୍ମିଳିତ ଷଡ଼ଯନ୍ତ୍ରରେ କରାଯାଇଥିଲା। ଆକ୍ରମଣର ଯୋଜନା ପାକିସ୍ତାନରେ ଥିବା ଲସ୍କରର ମୁଖ୍ୟାଳୟରେ ଆଇଏସଆଇର ନିର୍ଦ୍ଦେଶରେ ପ୍ରସ୍ତୁତ କରାଯାଇଥିଲା। ତଦନ୍ତରେ ଜଣାପଡିଛି ଯେ ଆକ୍ରମଣକାରୀମାନେ ପାକ୍-ଅଧିକୃତ କାଶ୍ମୀର (POK)ରେ ଥିବା ସେମାନଙ୍କର ହ୍ୟାଣ୍ଡଲରଙ୍କ ସହ ସମ୍ପର୍କ ରକ୍ଷା କରୁଥିଲେ ଏବଂ ପାକିସ୍ତାନରୁ ପାଣ୍ଠି ଓ ମାର୍ଗଦର୍ଶନ ପାଉଥିଲେ।
ପହଲଗାମ ଆକ୍ରମଣରେ ଜଡିତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ମୁଖ୍ୟ ସଂଗଠକ ହାସିମ ମୁସା ଏବଂ ତାଙ୍କ ସହଯୋଗୀ ତଲହା ଭାଇ ପାକିସ୍ତାନୀ ନାଗରିକ ଥିଲେ ଏବଂ ଲସ୍କର-ଏ-ତୈବା ସହିତ ଜଡିତ ଥିଲେ। କାଶ୍ମୀରରେ ଥିବା ଆଦିଲ ଥୋକର ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ଏହି ଆକ୍ରମଣରେ ସେମାନଙ୍କୁ ସାହାଯ୍ୟ କରିଥିଲା।
ତଦନ୍ତରେ ଜଣାପଡିଛି ଯେ ଓଭର ଗ୍ରାଉଣ୍ଡ ୱାର୍କର୍ସ (OGW) ନାମରେ ଜଣାଶୁଣା ସ୍ଥାନୀୟ ସହଯୋଗୀମାନେ ଆତଙ୍କବାଦୀଙ୍କୁ ଲୁଚିବା ସ୍ଥାନ, ଅସ୍ତ୍ରଶସ୍ତ୍ର ଏବଂ ଗୁପ୍ତ ସୂଚନା ଯୋଗାଇଥିଲେ। ଏହି ଘଟଣା ସମ୍ପର୍କରେ ୧୫୦ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରାଯାଇଛି ଏବଂ ସହଯୋଗୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇସାରିଛି।
NIA ଦଳ ଘଟଣାସ୍ଥଳର 3D ମ୍ୟାପିଂ କରି ଆକ୍ରମଣର ପୁନଃନିର୍ମାଣ କରିଛି। ଏହାଦ୍ୱାରା ବେତାବ ଘାଟିରେ ଲୁକ୍କାୟିତ ଅସ୍ତ୍ରଶସ୍ତ୍ର ଚିହ୍ନଟ କରାଯାଇଛି, ଯାହାକୁ ଫୋରେନସିକ୍ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି। NIAର ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ପ୍ରସ୍ତୁତ ଏହି ରିପୋର୍ଟ ଶୀଘ୍ର କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଦାଖଲ କରାଯିବ। ଏହି ପ୍ରମାଣ ଆଧାରରେ ଭାରତ ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନ ବିରୁଦ୍ଧରେ କଡ଼ା ପଦକ୍ଷେପ ନେବ। ଜାତିସଂଘ ଏବଂ FATF ଭଳି ସଂଗଠନମାନଙ୍କ ନିକଟରେ ଏହି ପ୍ରମାଣ ଉପସ୍ଥାପନ କରାଯାଇପାରିବ।