ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ଦେଖି ବିସିସିଆଇକୁ ଚେତାବନୀ ଦେଲେ ଗ୍ରେଗ୍ ଚାପେଲ୍
ମୁମ୍ବାଇ (ସଂକେତ ଟିଭି): ଆଇପିଏଲ ୨୦୨୫ରେ ରାଜସ୍ଥାନ ରୟଲ୍ସ୍ ଦଳର ୧୪ ବର୍ଷୀୟ ଯୁବ ବ୍ୟାଟସମେନ୍ ବୈଭବ ସୂର୍ଯ୍ୟବଂଶୀ ଖୁବ୍ ଚର୍ଚ୍ଚାରେ। ଗୁଜୁରାଟ ଟାଇଟାନ୍ସ୍ ବିରୁଦ୍ଧରେ ଖେଳାଯାଇଥିବା ମ୍ୟାଚ୍ ରେ ମାତ୍ର ୩୫ ବଲରେ ଶତକ ହାସଲ କରି ସେ ଆଇପିଏଲରେ ସବୁଠାରୁ ଦ୍ରୁତ ଭାରତୀୟ ଶତକୀ ବେଟର୍ ହେବାରେ ସଫଳ ହୋଇଛନ୍ତି। ଏହି ପ୍ରଦର୍ଶନକୁ ଲକ୍ଷ୍ୟ କରି ପୂର୍ବତନ ଭାରତୀୟ କୋଚ୍ ଗ୍ରେଗ୍ ଚାପେଲ୍ BCCIକୁ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦେଇଛନ୍ତି।
ଗ୍ରେଗ୍ ଚାପେଲ୍ କହିଛନ୍ତି, “ବୈଭବଙ୍କୁ ସଚିନ୍ ତେନ୍ଦୁଲକରଙ୍କ ଭଳି ସଠିକ୍ ମାର୍ଗଦର୍ଶନ ଓ ସହାୟତା ଦରକାର। ତାଙ୍କ ଅବସ୍ଥା ପୃଥ୍ୱୀ ସ ବା ବିନୋଦ୍ କାମ୍ବଲିଙ୍କ ପରି ହେବା ଉଚିତ୍ ନୁହେଁ।” ସେ କହିଛନ୍ତି, ସଚିନ୍ କେବଳ ପ୍ରତିଭା ନୁହେଁ, ବରଂ ଏକ ମଜବୁତ ସହାୟକ ସିଷ୍ଟମ୍ ଯୋଗୁଁ ସଫଳ ହୋଇଥିଲେ। ତାଙ୍କ ପରିବାର, କୋଚ୍ ଓ ଶିଷ୍ଟାଚାର ତାଙ୍କୁ ସଫଳତାର ଶିଖରକୁ ନେଇଥିଲା। କିନ୍ତୁ ବିନୋଦ୍ କାମ୍ବଲି ଏହି ସନ୍ତୁଳନ ରକ୍ଷା କରିପାରିନଥିଲେ ଓ ତାଙ୍କ ପ୍ରତିଭା ନଷ୍ଟ ହୋଇଯାଇଥିଲା। ସେହିଭଳି ଅନୁଶାସନ ହୀନତା ଯୋଗୁଁ ପୃଥ୍ୱୀ ସଙ୍କର ପତନ ଘଟିଥିଲା।
୧୪ ବର୍ଷ ବୟସରେ ଆଇପିଏଲରେ ଶତକ ହାସଲ କରିବା ଏକ ଐତିହାସିକ ଘଟଣା। ବୈଭବ ଏବେ ଭାରତୀୟ କ୍ରିକେଟର ଭବିଷ୍ୟତ ଆଶା ଭରସାର ନାମ। ତେଣୁ ତାଙ୍କୁ କେବଳ ମାର୍କେଟିଂ ପାଇଁ ବ୍ୟବହାର ନକରି ଉଚିତ୍ ମାର୍ଗଦର୍ଶନ ଦରକାର ବୋଲି ଚାପେଲ୍ କହିଛନ୍ତି।
ସଚିନ୍ ତେନ୍ଦୁଲକର ତାଙ୍କ କ୍ୟାରିଅର୍ ରେ ୩୪,୩୫୭ ରନ୍ କରିଥିଲେ, ଯାହା ମଧ୍ୟରେ ଟେଷ୍ଟରେ ୧୫,୯୨୧ ଓ ଏକଦିବାସୀୟରେ ୧୮,୪୨୬ ରନ୍ ଅଛି। ଅନ୍ୟ ପକ୍ଷରେ, ବିନୋଦ୍ କାମ୍ବଲି ମାତ୍ର ୧୭ ଟେଷ୍ଟ ଖେଳି ୧,୦୮୪ ରନ୍ କରିଥିଲେ। ତାଙ୍କ ପ୍ରତିଭା ସତ୍ତ୍ୱେ ଅନୁଶାସନ ଅଭାବରେ ସେ ବିଫଳ ହୋଇଥିଲେ।
BCCIକୁ ସୁପାରିଶ କରି ଚାପେଲ୍ କହିଛନ୍ତି, “ବୈଭବଙ୍କୁ ଭଲ ଭାବେ ସଂରକ୍ଷଣ କରନ୍ତୁ। ତାଙ୍କ ପ୍ରତିଭାକୁ ନେଇ କେବଳ ମାର୍କେଟିଂ ନକରି ତାଙ୍କୁ ଏକ ଉତ୍ତମ ଖେଳାଳି ଭାବେ ଗଢ଼ି ତୋଳନ୍ତୁ।” ଆଇପିଏଲରେ ଏହି କିଶୋର ଖେଳାଳିଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବା ପାଇଁ ସଠିକ୍ ପଦକ୍ଷେପ ନିଆଯିବା ଆବଶ୍ୟକ।