ଇଲେକ୍ଟ୍ରିକ୍ ଯାନ ବ୍ୟବହାର ବୃଦ୍ଧି ପାଇଁ ନୂତନ ନୀତି ଆଣିବେ ରାଜ୍ୟ ସରକାର
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ ସରକାର ଇଲେକ୍ଟ୍ରିକ୍ ଯାନବାହାନର ବ୍ୟବହାର ବୃଦ୍ଧି କରିବା ପାଇଁ ଏକ ନୂତନ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ନୀତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଅଧିକ ଇଲେକ୍ଟ୍ରିକ୍ ଯାନ ବ୍ୟବହାର ପାଇଁ ଏକ ନୂତନ ଇଭି ପଲିସି ଆସିବ।
ସରକାର ଏହି ନୀତିକୁ ପ୍ରାଥମିକ ଭାବେ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବେ। ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟଗୁଡ଼ିକରେ ସୌର ପ୍ୟାନେଲ ଲଗାଇବା ବାଧ୍ୟତାମୂଳକ କରାଯିବ। ସମସ୍ତ ସରକାରୀ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ଯାନ ବ୍ୟବହାର କରିବାକୁ ଉତ୍ସାହିତ କରାଯିବ। ଆଗାମୀ ୫ ବର୍ଷ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ସୌର ଶକ୍ତିରେ ଚାଲିବ। ବର୍ତ୍ତମାନ ଟ୍ୱିନ୍ ସିଟିର ଅନେକ କାର୍ଯ୍ୟାଳୟରେ ସୌର ପ୍ୟାନେଲ ଲଗାଯାଇସାରିଛି।
ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧିଶୀଳ ମୂଲ୍ୟ ଯୋଗୁଁ ଲୋକେ ଇଲେକ୍ଟ୍ରିକ୍ ଯାନ ଆଡ଼କୁ ଆକର୍ଷିତ ହେଉଛନ୍ତି। ଏଥିପାଇଁ ସରକାର କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ଯାନ କିଣିବାକୁ ଆର୍ଥିକ ସହାୟତା ପ୍ରଦାନ କରିବେ। ଗ୍ରୁପ୍-ଏ ଏବଂ ବି କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ କାର୍ କିଣିବା ପାଇଁ ଅଗ୍ରୀମ ଟଙ୍କା ମିଳିବ, ଯାହା କାର୍ ମୂଲ୍ୟର ୭୫% ପର୍ଯ୍ୟନ୍ତ ହୋଇପାରେ। ଗ୍ରୁପ୍-ସି ଏବଂ ଡି କର୍ମଚାରୀଙ୍କୁ ଦୁଇଚକିଆ ଇଲେକ୍ଟ୍ରିକ୍ ଯାନ କିଣିବା ପାଇଁ ସର୍ବାଧିକ ୨ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯିବ।
ଏହି ଅଗ୍ରୀମ ଟଙ୍କା ସର୍ବାଧିକ ୧୫ ଲକ୍ଷ ପର୍ଯ୍ୟନ୍ତ ହୋଇପାରିବ ଏବଂ ଏହାକୁ ୧୦୦ ମାସିକ କିସ୍ତିରେ ଦରମାରୁ କଟାଯିବ। ରାଜ୍ୟ ଅର୍ଥ ବିଭାଗ ଏହି ଯୋଜନା ଅନୁଯାୟୀ ନୋଟିସ୍ ମଧ୍ୟ ଜାରି କରିସାରିଛି। ଏହି ପଦକ୍ଷେପଦ୍ୱାରା ଇଲେକ୍ଟ୍ରିକ୍ ଯାନ ପ୍ରଚଳନ ବୃଦ୍ଧି ପାଇବ ବୋଲି ସରକାର ଆଶା କରୁଛନ୍ତି।