ଦୀଘା ଜଗନ୍ନାଥ ମନ୍ଦିର ବିବାଦ: ମମତା ବାନାର୍ଜୀଙ୍କୁ ଟାର୍ଗେଟ କଲେ ଶୁଭେନ୍ଦୁ ଅଧିକାରୀ
ଭୁବନେଶ୍ୱର (ସଂକେତ ଟିଭି): ଦୀଘାରେ ଜଗନ୍ନାଥ ମନ୍ଦିର ନେଇ ଉଠିଥିବା ବିବାଦକୁ ଲକ୍ଷ୍ୟ କରି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଶା ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ ସେ ସ୍ଵାଗତ ଜଣାଇଛନ୍ତି ।
ଶୁଭେନ୍ଦୁ ଅଧିକାରୀ ନିଜର ‘X’ (ପୂର୍ବର ଟ୍ୱିଟର) ଆକାଉଣ୍ଟରେ ଲେଖିଛନ୍ତି ଯେ, ପଶ୍ଚିମବଙ୍ଗ ସରକାର ନିମ୍ନସ୍ତରକୁ ଖସିଯାଇଛନ୍ତି । ଦୀଘାରେ ଥିବା ମନ୍ଦିରକୁ ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର ଭାବେ ଉପସ୍ଥାପନା କରି ସରକାର ଭକ୍ତଙ୍କୁ ଭ୍ରମିତ କରୁଛନ୍ତି । ସେ କହିଛନ୍ତି, “ପଶ୍ଚିମବଙ୍ଗ ସରକାରଙ୍କ ଦୋମୁହଁ ନୀତିର ପର୍ଦ୍ଦାଫାସ ହେବା ଉଚିତ୍ ।”
ଅଧିକାରୀ ଜଣାଇଛନ୍ତି ଯେ, ସାରା ଭାରତ ଓ ବିଶ୍ୱରେ ଥିବା ଜଗନ୍ନାଥ ମନ୍ଦିରଗୁଡ଼ିକ ଧାମ ନୁହେଁ । ଏକ ନୂଆ ଢାଞ୍ଚା ନିର୍ମାଣ କରି ଏହାକୁ ଧାମ ଭାବେ ନାମିତ କରାଯାଇପାରିବ ନାହିଁ । ସେ ଏହାକୁ ଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ ବୋଲି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ନବକଳେବରର ଦାରୁ ବ୍ୟବହାର ଜଗନ୍ନାଥ ସଂସ୍କୃତି ପ୍ରତି ଘୋର ଅପମାନ । ରାମକୃଷ୍ଣ ଦାସମହାପାତ୍ରଙ୍କ ଭୂମିକା ଉପରେ ବିଚାର ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି । ଅଧିକାରୀଙ୍କ ମତରେ, ପଦବୀର ଅପବ୍ୟବହାର କରି ଭକ୍ତଙ୍କ ବିଶ୍ୱାସକୁ କ୍ଷୁର୍ଣ୍ଣ କରାଯାଇଛି ।