FeaturedLatestNewsPolitics

ଓଡ଼ିଶା ଅସୁରକ୍ଷିତ ନୁହେଁ, ୟୁସୁଫ ପଠାନଙ୍କ ମନ୍ତବ୍ୟକୁ ଖଣ୍ଡନ କଲେ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର (ସଂକେତ ଟିଭି): ବିହାରର ସାଂସଦ ୟୁସୁଫ ପଠାନଙ୍କ ଚିଠିକୁ ନେଇ ଆରମ୍ଭ ହୋଇଥିବା ବିବାଦକୁ ଲକ୍ଷ୍ୟ ରଖି ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି । ମନ୍ତ୍ରୀ ପୂଜାରୀ କହିଛନ୍ତି, “ଓଡ଼ିଶା ଉପରେ ସାମାନ୍ୟ ଜ୍ଞାନ ନଥିବା ଜଣେ ବ୍ୟକ୍ତି ଏଭଳି ମନ୍ତବ୍ୟ ଦେଇଛନ୍ତି । ଓଡ଼ିଶା କେବେବି ଅସୁରକ୍ଷିତ ସ୍ଥାନ ନୁହେଁ, ବିଶେଷକରି ପେଟପାଟଣା ପାଇଁ ଆସୁଥିବା ବାହାର ରାଜ୍ୟର ଲୋକଙ୍କ ପାଇଁ ।”

ମନ୍ତ୍ରୀ ପୂଜାରୀ ଜୋର୍ ଦେଇ କହିଛନ୍ତି, “ଓଡ଼ିଶା ସର୍ବଦା ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଶରଣ ଦେଇଛି ଏବଂ ସେମାନଙ୍କୁ ରୋଜଗାର ମଧ୍ୟ ପ୍ରଦାନ କରିଛି । ଇତିହାସରେ କେବେ ଓଡ଼ିଶା ଅସୁରକ୍ଷିତ ବୋଲି ଅଭିଯୋଗ ଆସି ନାହିଁ । ପ୍ରଥମ ଥର ପାଇଁ ଓଡ଼ିଶା ବିଷୟରେ ଅଜ୍ଞ ଜଣେ ଏପରି ମନ୍ତବ୍ୟ ଦେଇଛନ୍ତି ।”

ମନ୍ତ୍ରୀ ପୂଜାରୀ ୟୁସୁଫ ପଠାନଙ୍କୁ କଟାକ୍ଷ କରି କହିଛନ୍ତି, “ସେ ଯଦି କ୍ରିକେଟରେ ମନ ଦେଇଥାନ୍ତେ, ତାହାହେଲେ ମଙ୍ଗଳ ହୋଇଥାନ୍ତା । ତାଙ୍କୁ ଅଧିକ ଅଧ୍ୟୟନ କରିବା ଆବଶ୍ୟକ । କ୍ରିକେଟ୍ ବ୍ୟତୀତ ଅନ୍ୟ କୌଣସି ବିଷୟରେ ତାଙ୍କର ଜ୍ଞାନ ନାହିଁ । ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ମୁହଁ ଖୋଲିଲେ ଭଲ ହୋଇଥାନ୍ତା ।”

ମନ୍ତ୍ରୀ ପୂଜାରୀ ଆହୁରି କହିଛନ୍ତି, “ଯଦି ସେ ବାଂଲାଦେଶୀଙ୍କ କଥା କହୁଛନ୍ତି, ସେମାନେ ଅନୁପ୍ରବେଶକାରୀ । ଆଇନ ଉଲ୍ଲଂଘନ କରି ଭାରତକୁ ପ୍ରବେଶ କରୁଛନ୍ତି । ଚିକିତ୍ସା ପାଇଁ ଟେମ୍ପରାରି ଭିସା ନେଇ ଆସି ଅନେକେ ଆଇନ ଭାଙ୍ଗୁଛନ୍ତି ଏବଂ ପଶ୍ଚିମବଙ୍ଗ ଓ ଓଡ଼ିଶାକୁ ପ୍ରବେଶ କରୁଛନ୍ତି ।”

ମୁର୍ଶିଦାବାଦରେ ଘଟିଥିବା ହିଂସାକୁ ଟୋକି ମନ୍ତ୍ରୀ କହିଛନ୍ତି, “ପଶ୍ଚିମବଙ୍ଗ ପୋଲିସ ଅନୁସନ୍ଧାନରେ ଜଣାପଡିଛି ଯେ ଅପରାଧୀମାନେ ମୋ ନିର୍ବାଚନ ମଣ୍ଡଳୀ ଝାରସୁଗୁଡ଼ାରେ ଲୁଚି ରହିଥିଲେ । ସେଠାରେ ପୋଲିସ ସାହାଯ୍ୟରେ ୧୦ ଜଣ ଅପରାଧୀକୁ ଗିରଫ କରାଯାଇଥିଲା । ଓଡ଼ିଶା ଅପରାଧୀଙ୍କ ପାଇଁ ଆଶ୍ରୟସ୍ଥଳୀ ନୁହେଁ, ଏହା ଏକ ଶାନ୍ତିପ୍ରିୟ ରାଜ୍ୟ ।”

ମନ୍ତ୍ରୀ ପୂଜାରୀ ଜୋର୍ ଦେଇ କହିଛନ୍ତି, “ବାହାର ଦେଶ ବା ରାଜ୍ୟର ଲୋକଙ୍କୁ ଓଡ଼ିଶା ସର୍ବଦା କୋଳାଇଛି, ମାତ୍ର ଏଥିପାଇଁ ଆମକୁ ବହୁତ ମୂଲ୍ୟ ମଧ୍ୟ ଦେବାକୁ ପଡିଛି ।”