FeaturedLatestNews

ଭଦ୍ରକରେ ବାଣ ଗୋଦାମ୍‌ରେ ବିସ୍ଫୋରଣ: ୨ ମୃତ, ୩ ଆହତ

ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲ୍ଲାର ଚାନ୍ଦବାଲି ରୋଡ଼ ନିକଟସ୍ଥ ହଳଦିଡିହା ଗାଁରେ ଏକ ବାଣ ଗୋଦାମ୍‌ରେ ମଙ୍ଗଳବାର ହଠାତ୍ ଭୀଷଣ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୩ ଜଣ ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଆତସବାଜି ତିଆରି କରିବା ସମୟରେ ଏକ ଭୟଙ୍କର ଧ୍ଵନି ସହିତ ବିସ୍ଫୋରଣ ହୋଇଥିଲା ଏବଂ ବାଣ ଗୋଦାମ୍‌ ଟି ଧ୍ଵଂସ ହୋଇଯାଇଥିଲା। ନିଆଁ ଚାରିପାଖରେ ବ୍ୟାପିଯାଇଥିଲା। କାମ କରୁଥିବା ଲୋକମାନେ ଗୁରୁତର ଭାବରେ ପୋଡ଼ିଯାଇଥିଲେ ଏବଂ ସେମାନଙ୍କ ଚିତ୍କାର ଶୁଣି ଲୋକେ ଭୟଭୀତ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଯାଇ କନା ଏବଂ କଦଳୀ ପତ୍ରରେ ଗୁଡ଼ାଇ ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନେଇଥିଲେ।

ଅବସ୍ଥା ଗୁରୁତର ହେବାରୁ ଆହତଙ୍କୁ କଟକର ଏସ୍.ସି.ବି. ମେଡିକାଲ କଲେଜ ଏବଂ ଡାକ୍ତରଖାନାକୁ ପଠାଯାଇଥିଲା। ଏସ୍.କେ. ମୁସ୍ରାଦ୍ ଏବଂ ରାତୋ ବିବି କଟକ ଯିବା ପଥରେ ମୃତ୍ୟୁବରଣ କରିଥିଲେ। ଅନ୍ୟ ଆହତମାନଙ୍କ ଅବସ୍ଥା ସ୍ଥିର ଥିବାବେଳେ ସେମାନଙ୍କୁ ଡାକ୍ତରୀ ତତ୍ତ୍ୱାବଧାନରେ ରଖାଯାଇଛି। ଅଗ୍ନିଶମନ ଦଳ ଘଟଣାସ୍ଥଳରେ ପହଞ୍ଚି ଘଣ୍ଟା ମାଡ଼ି ନିଆଁ ନିର୍ବାପଣ କରିଥିଲେ, କାରଣ ଜ୍ୱଳନଶୀଳ ପଦାର୍ଥ ଥିବାରୁ ନିଆଁ ଶୀଘ୍ର ବ୍ୟାପିଯାଇଥିଲା।

ଯଦିଓ ଗୋଦାମଟିରେ ଆତସବାଜି ବିକ୍ରୟ ପାଇଁ ଲାଇସେନ୍ସ ଥିଲା, କିନ୍ତୁ ପ୍ରଶାସନ ଅନୁମାନ କରୁଛି ଯେ ବେଆଇନ ଭାବରେ ଉତ୍ପାଦନ କିମ୍ବା ଅନଧିକୃତ ଭାବରେ ପଦାର୍ଥ ଜମା କରାଯାଇଥିବାରୁ ବିସ୍ଫୋରଣ ହୋଇଥାଇପାରେ।