ଟେଷ୍ଟ କ୍ରିକେଟରୁ ଅବସର ନେଲେ ରୋହିତ ଶର୍ମା, ଦିନିକିଆରେ ଜାରି ରଖିବେ ଖେଳ
ଭୁବନେଶ୍ୱର (ସଂକେତ ଟିଭି): ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବିଶ୍ୱବିଖ୍ୟାତ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆଜି ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି । ଏହା ପୂର୍ବରୁ ସେ ଟି-୨୦ ଫର୍ମାଟରୁ ଅବସର ନେଇଥିଲେ । ତେବେ, ସେ ଦିନିକିଆ କ୍ରିକେଟ ଖେଳିବା ଜାରି ରଖିବେ ବୋଲି ଜଣାଇଛନ୍ତି ।
ଗତ କିଛି ମ୍ୟାଚ୍ ରେ ରୋହିତଙ୍କ ପ୍ରଦର୍ଶନ ସମୀକ୍ଷା ତଳେ ଆସିଥିଲା । ତାଙ୍କ ନେତୃତ୍ୱରେ ଭାରତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୦-୩ ରେ ଟେଷ୍ଟ ସିରିଜ୍ ହାରିଥିଲା । ଏହାପରେ ବର୍ଡର-ଗାଭାସ୍କର ଟ୍ରଫିରେ ମଧ୍ୟ ଦଳ ବିଫଳ ହୋଇଥିଲା । ଏହି ପର୍ଯ୍ୟାୟରେ ତାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠିଥିଲା । ଏବେ ଆଇପିଏଲ୍ ୨୦୨୫ ପରେ ଇଂଲଣ୍ଡ ଗସ୍ତ ଆଗରୁ ସେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି ।
୩୮ ବର୍ଷୀୟ ରୋହିତ ୬୭ ଟେଷ୍ଟରେ ୪୦.୫୭ ହାରରେ ୪,୩୦୧ ରନ୍ କରିଛନ୍ତି । ତାଙ୍କ ଟେଷ୍ଟ କ୍ୟାରିୟରରେ ୧୨ ଶତକ ଏବଂ ୧୮ ଅର୍ଦ୍ଧଶତକ ରହିଛି । ସେ ୨୦୧୩ରେ ୱେଷ୍ଟ ଇଣ୍ଡିଜ୍ ବିପକ୍ଷ କୋଲକାତା ଟେଷ୍ଟରେ ଡେବ୍ୟୁ କରି ପ୍ରଥମ ଇନିଙ୍ଗ୍ସରେ ୧୭୭ ରନ୍ କରିଥିଲେ । ତାଙ୍କ ନେତୃତ୍ୱରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ୍ ଏବଂ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା ।
ରୋହିତ ନିଜ ବିଜ୍ଞପ୍ତିରେ କହିଛନ୍ତି, “ଧଳା ଜର୍ସିରେ ଭାରତକୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଗର୍ବର ବିଷୟ । ସମସ୍ତଙ୍କ ପ୍ରେରଣା ପାଇଁ ଧନ୍ୟବାଦ । ମୁଁ ଦିନିକିଆରେ ଖେଳିବା ଜାରି ରଖିବି ।”
ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇ ଚୟନକର୍ତ୍ତା ଇଂଲଣ୍ଡ ଟୁର୍ ପାଇଁ ରୋହିତଙ୍କୁ ଟେଷ୍ଟ ଅଧିନାୟକତ୍ୱରୁ ହଟାଇବାକୁ ଚାହୁଁଥିଲେ । ତାଙ୍କ ଟେଷ୍ଟ ଫର୍ମ ଓ ଦଳର ଖରାପ ପ୍ରଦର୍ଶନ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଏହି ପରିସ୍ଥିତିରେ ରୋହିତ ନିଜେ ଅବସର ନେବାକୁ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।