FeaturedGeneralLatest

ଅପରେସନ ସିନ୍ଦୁର ର ସୂଚନା ଦେଲେ ଦୁଇ ମହିଳା ସେନା ଅଧିକାରୀ, ଜାଣନ୍ତୁ ସେମାନେ କିଏ

ନୂଆଦିଲ୍ଲୀ (ସଂକେତ ଟିଭି): ରାତିର ଘନ ଅନ୍ଧକାରରେ ଭାରତୀୟ ସେନା ପାକିସ୍ତାନରେ ପ୍ରବେଶ କରି ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଲା। ‘ଅପରେସନ ସିନ୍ଦୂର’ ମାଧ୍ୟମରେ ପାକିସ୍ତାନର ୯ଟି ଆତଙ୍କବାଦୀ ଶିବିର ଧ୍ୱଂସ କରାଯାଇଥିବା ବେଳେ, ଏହି ଅଭିଯାନରେ ଭାରତୀୟ ସ୍ଥଳସେନା, ନୌସେନା ଏବଂ ବାୟୁସେନାର ସମନ୍ୱିତ ପ୍ରୟାସ ରହିଥିଲା। ଏହି ସଫଳ ଅପରେସନ୍ ବେଳେ ଦେଶର ଦୁଇ ମହିଳା ସେନା ଅଧିକାରୀ କର୍ଣ୍ଣେଲ ସୋଫିଆ କ୍ୟୁରେସୀ ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଆନୁଷ୍ଠାନିକ ଭାବେ ସୂଚନା ଦେଇଥିଲେ।

ମହିଳା ସେନା ଅଧିକାରୀଙ୍କ ଐତିହ୍ୟ
‘ଅପରେସନ ସିନ୍ଦୂର’ ପରେ କର୍ଣ୍ଣେଲ ସୋଫିଆ କ୍ୟୁରେସୀ ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ପ୍ରେସ ବ୍ରିଫିଂର ନେତୃତ୍ୱ ନେଇ ଶତ୍ରୁମାନଙ୍କୁ କଠୋର ସଂଦେଶ ଦେଇଥିଲେ। ଭାରତୀୟ ଇତିହାସରେ ପ୍ରଥମ ଥର ପାଇଁ ଦୁଇ ମହିଳା ଅଧିକାରୀ ଏକ ପ୍ରମୁଖ ସାମରିକ ଅଭିଯାନ ବିଷୟରେ ପ୍ରେସକୁ ବ୍ରିଫିଂ ଦେଇଥିଲେ।

କର୍ଣ୍ଣେଲ ସୋଫିଆ କ୍ୟୁରେସୀ
ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋଫିଆ କ୍ୟୁରେସୀ ଭାରତୀୟ ସେନାର ସିଗନାଲ କର୍ପସର ଜଣେ ସମ୍ମାନିତ ଅଧିକାରୀ। ୨୦୧୬ ମସିହାରେ ପୁନେରେ ଆୟୋଜିତ ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସରେ ସେ ଭାରତୀୟ ସେନାର ଏକ ଦଳକୁ ନେତୃତ୍ୱ ଦେଇଥିବା ପ୍ରଥମ ମହିଳା ଅଧିକାରୀ ଥିଲେ। ମାତ୍ର ୩୫ ବର୍ଷ ବୟସରେ ସେ ସମସ୍ତ ଅଂଶଗ୍ରହଣକାରୀ ଦେଶର ଏକମାତ୍ର ମହିଳା କଣ୍ଟିଜେଣ୍ଟ କମାଣ୍ଡର ଥିଲେ। ୨୦୦୬ ମସିହାରେ କଙ୍ଗୋ ଶାନ୍ତି ମିଶନରେ ତାଙ୍କର ଅବଦାନ ବିଶେଷ ଭାବେ ପ୍ରଶଂସନୀୟ।

ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ
ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଭାରତୀୟ ବାୟୁସେନାରେ ଜଣେ ବରିଷ୍ଠ ହେଲିକପ୍ଟର ପାଇଲଟ୍। ସେ ଜମ୍ମୁ-କାଶ୍ମୀର ଏବଂ ଉତ୍ତର-ପୂର୍ବ ଭଳି ଚ୍ୟାଲେଞ୍ଜିଂ ଅଞ୍ଚଳରେ ଅନେକ ରେସ୍କ୍ୟୁ ଅପରେସନରେ ଯୋଗଦାନ କରିଛନ୍ତି। ଡିସେମ୍ବର ୧୮, ୨୦୧୯ରେ ସେ ଫ୍ଲାଇଂ ବ୍ରାଞ୍ଚରେ ସ୍ଥାୟୀ କମିଶନ ପାଇଥିଲେ।

କିପରି ହୋଇଥିଲା ଅପରେସନ ସିନ୍ଦୂର?
ପାକିସ୍ତାନ ଅଧିକୃତ କାଶ୍ମୀର (POK)ରେ ଥିବା ଲସ୍କର-ଏ-ତୋଏବା (LeT) ଏବଂ ଜୈଶ-ଏ-ମହମ୍ମଦ (JeM) ସହିତ ଜଡିତ ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇଥିଲା। କର୍ଣ୍ଣେଲ ସୋଫିଆ କ୍ୟୁରେସୀ କହିଥିଲେ, “ମୁଜାଫରାବାଦର ଶୱାଇ ନାଲା ଶିବିରରେ ପହଲଗାମ ଆକ୍ରମଣର ଆତଙ୍କବାଦୀଙ୍କୁ ତାଲିମ ଦିଆଯାଇଥିଲା।” ଅନ୍ୟାନ୍ୟ ଟାର୍ଗେଟଗୁଡ଼ିକ ମଧ୍ୟରେ ମୁଜାଫରାବାଦର ସୟଦନା ବିଲାଲ ଶିବିର, କୋଟଲିର ଗୁଲପୁର କ୍ୟାମ୍ପ ଏବଂ ଭୀମ୍ବରର ବର୍ଣ୍ଣାଲା କ୍ୟାମ୍ପ ରହିଥିଲା।

ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ କହିଥିଲେ, “ଏପ୍ରିଲ ୨୨ର ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଏହି ଅପରେସନ୍ ହାତଧରା ହୋଇଥିଲା। ରାତି ୧ଟା ୫ ମିନିଟରେ ଆକ୍ରମଣ କରାଯାଇଥିଲା ଏବଂ ନାଗରିକ କ୍ଷତି ନଘଟିବା ଦିଗରେ ସତର୍କତା ନିଆଯାଇଥିଲା।”