ସିଭିଲ୍ ଡିଫେନ୍ସରେ ସ୍ୱେଚ୍ଛାସେବୀ ଭାବେ ଯୋଗ ଦେବାକୁ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ବେସାମରିକ ସୁରକ୍ଷା ବା ସିଭିଲ୍ ଡିଫେନ୍ସ ସଂଗଠନରେ ସ୍ୱେଚ୍ଛାସେବୀ ଭାବେ ଯୋଗଦାନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୁବସମାଜକୁ ଆହ୍ୱାନ ଦେଇଛନ୍ତି । ସେ ସୋସିଆଲ ମିଡିଆ ମାଧ୍ୟମରେ ଏହି ଆହ୍ୱାନ ଦେଇ କହିଛନ୍ତି, “ସାଧାରଣ ଲୋକଙ୍କ ଧନ ଓ ଜୀବନର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ । ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ । ଏଥିପାଇଁ ଜାତୀୟତାର ମନୋଭାବ ନେଇ ଯୁବସମାଜ ସିଭିଲ୍ ଡିଫେନ୍ସ୍ ସଂଗଠନରେ ଯୋଗ ଦେଉନ୍ତୁ । ସେବା ଓ ଦେଶପ୍ରେମର ଭାବନାକୁ ଆହୁରି ଦୃଢ଼ କରନ୍ତୁ ।”
ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଇଚ୍ଛୁକ ସ୍ୱେଚ୍ଛାସେବୀମାନେ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ ଠାରେ ଆବେଦନ କରିପାରିବେ । ଜିଲ୍ଲାପାଳ ହେଉଛନ୍ତି ଜିଲ୍ଲା ସ୍ତରୀୟ ବେସାମରିକ ସୁରକ୍ଷାର ନିୟନ୍ତ୍ରକ । ଯୋଗଦାନକାରୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯିବ ଏବଂ ଆବଶ୍ୟକତା ସମୟରେ ସେମାନେ ଜନସାଧାରଣଙ୍କୁ ସେବା ଯୋଗାଇବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ୧୨ଟି ସ୍ଥାନରେ ବର୍ତ୍ତମାନ ସିଭିଲ୍ ଡିଫେନ୍ସ ସଂଗଠନ ସକ୍ରିୟ ଅଛି । ଆବଶ୍ୟକତା ଅନୁଯାୟୀ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ନୂଆ ସଂଗଠନ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ଆଶା ପ୍ରକାଶ କରିଛନ୍ତି ଯେ, ଦେଶପ୍ରେମୀ ଯୁବପିଢ଼ି ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଧିକ ସଂଖ୍ୟାରେ ଯୋଗ ଦେବେ ।
ମାଝୀ ଜୋର୍ ଦେଇ କହିଛନ୍ତି, *”ଯୁବସମାଜ ହିଁ ଆମ ଦେଶର ଭବିଷ୍ୟତ । ସେମାନଙ୍କ ସେବାଭାବନା ଓ ଜାତୀୟତାବୋଧ ଦେଶକୁ ସୁରକ୍ଷିତ ଓ ସମୃଦ୍ଧ କରିବ । ତେଣୁ ସିଭିଲ୍ ଡିଫେନ୍ସ୍ ଭଳି ସଂଗଠନରେ ସକ୍ରିୟ ଭୂମିକା ନେଇ ସେମାନେ ଦେଶସେବାରେ ଅଗ୍ରଣୀ ହେଉନ୍ତୁ ।”