ଭାରତ ବିରୁଦ୍ଧରେ ଚୀନର ଏହି ଅସ୍ତ୍ର ବ୍ୟବହାର କରିଥିଲା ପାକିସ୍ତାନ
ନୂଆଦିଲ୍ଲୀ (ସଂକେତ ଟିଭି): ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଭାରତ ମେ ୭ରେ ଅପରେସନ ସିନ୍ଦୂର କରି ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଥିଲା। ଏଥିପାଇଁ ଭାରତ ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ଥିବା ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ୍ କରି ୧୦୦ରୁ ଅଧିକ ଆତଙ୍କବାଦୀକୁ ନିହତ କରିଥିଲା। ପରେ ପାକିସ୍ତାନ ଭାରତୀୟ ସୀମାନ୍ତରେ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ କରିଥିଲା। ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ଯୁଦ୍ଧବିରତି ଜାରି ରହିଛି। ଏହି ସଂଘର୍ଷରେ ପାକିସ୍ତାନ ଚୀନର କେତେକ ଆଧୁନିକ ଅସ୍ତ୍ର ବ୍ୟବହାର କରିଥିଲା।
ଜେଏଫ-୧୭ ଥଣ୍ଡର ଫାଇଟର ଜେଟ୍ -ଏହି ଯୁଦ୍ଧ ବିମାନ ଚୀନ ଓ ପାକିସ୍ତାନ ମିଳିତ ଭାବେ ବିକଶିତ କରିଛନ୍ତି। ଚତୁର୍ଥ ପିଢ଼ୀର ଏହି ଏକକ ଇଞ୍ଜିନ୍ ବିମାନ ପାକିସ୍ତାନୀ ବାୟୁସେନାର ମୁଖ୍ୟ ଶକ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହାର ଗୋଟିଏ ୟୁନିଟ୍ ମୂଲ୍ୟ ୨୫ ନିୟୁତ ଡଲାର୍ (୨୦୦ କୋଟି ଟଙ୍କା ପ୍ରାୟ)।
ଏଚକ୍ୟୁ-୧୬ ବାୟୁ ପ୍ରତିରକ୍ଷା ପ୍ରଣାଳୀ– ଚୀନ ପ୍ରସ୍ତୁତ କରିଥିବା ଏହି କ୍ଷୁଦ୍ର ଦୂରଗାମୀ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀକୁ ଭାରତ ନିଷ୍କ୍ରିୟ କରିଦେଇଥିଲା। ପାକିସ୍ତାନର ଆବଶ୍ୟକତା ଅନୁଯାୟୀ ଚୀନ ଏହାକୁ ନିର୍ମାଣ କରିଥିଲା। ୨୦୧୪-୧୫ରେ ପାକିସ୍ତାନ ୬ଟି ଏଚକ୍ୟୁ-୧୬ ପାଇଁ ଚୀନ ସହ ୩୭୩.୨୩ ନିୟୁତ ଡଲାର୍ (୩,୦୦୦ କୋଟି ଟଙ୍କା ପ୍ରାୟ) ଚୁକ୍ତି ସ୍ୱାକ୍ଷର କରିଥିଲା।
ଟାଇପ୍-୦୫୪ଏ/ପି ଫ୍ରିଗେଟ୍ସ– ପାକିସ୍ତାନୀ ନୌସେନା ୨୦୧୭-୧୮ରେ ଚାରୋଟି ଆଧୁନିକ ଟାଇପ୍-୦୫୪ଏ/ପି ଫ୍ରିଗେଟ୍ ଜାହାଜ ପାଇଁ ଚୀନ ସହ ଚୁକ୍ତି କରିଥିଲା। ଏଥିରେ ଉନ୍ନତ କ୍ଷେପଣାସ୍ତ୍ର, ରାଡାର୍ ଓ ସୋନାର୍ ସଜ୍ଜିତ ଥିବା କୁହାଯାଏ।
ୱିଙ୍ଗ ଲୁଙ୍ଗ II ଡ୍ରୋନ୍ – ପାକିସ୍ତାନ ଚୀନଠାରୁ ୱିଙ୍ଗ ଲୁଙ୍ଗ II ଡ୍ରୋନ୍ ସିଷ୍ଟମ୍ କିଣିଥିଲା, ଯାହା ନିରୀକ୍ଷଣ ଓ କ୍ଷେପଣାସ୍ତ୍ର ଆକ୍ରମଣ କରିପାରିବ। ଆତଙ୍କବାଦ ବିରୋଧୀ ଅଭିଯାନରେ ଏହା ବ୍ୟବହୃତ ହୋଇଥାଏ।
ଏହା ଛଡା, ପାକିସ୍ତାନର କରାଚୀରେ ଥିବା ଚୀନୀୟ ଏଚକ୍ୟୁ-୯ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଭାରତୀୟ ଡ୍ରୋନ୍ ଆକ୍ରମଣରେ ଧ୍ୱଂସ କରିଦେଇଥିଲା।