FeaturedLatestNews

ମୁଖ୍ୟମନ୍ତ୍ରୀ ମାଝୀଙ୍କ ମୟୂରଭଞ୍ଜ ଗସ୍ତ: ବିଶୋଇବାସୀଙ୍କୁ ଦେଲେ ୪୨୦ କୋଟିର ଉପହାର

ବାରିପଦା (ସଂକେତ୍ ଟିଭି) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜର ଦୁଇ ଦିନିଆ ଗସ୍ତରେ ବିଶୋଇ ବ୍ଲକ୍‌ରେ ୪୨୦.୧୩ କୋଟି ଟଙ୍କାର ୧୮୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି। ସୋମବାର ରାଇରଙ୍ଗପୁରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମଜୟନ୍ତୀରେ ଯୋଗଦେବା ପରେ ମଙ୍ଗଳବାର ବିଶୋଇରେ ସ୍ବତନ୍ତ୍ର ସାଧାରଣ ସଭାକୁ କହିଛନ୍ତି।

ଏଥିରେ ପାନୀୟ ଜଳ, ଜନସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ଶିକ୍ଷା ଓ ଆଦିବାସୀ ଉନ୍ନୟନ ବିଭାଗର ୩୨୮ କୋଟି ଟଙ୍କାର ୧୩୩ ପ୍ରକଳ୍ପ ଉଦଘାଟିତ ହୋଇଛି। ଏଥିସହ ୯୧ କୋଟି ଟଙ୍କାର ୫୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା, ଜଳସେଚନ, ଗମନାଗମନ, କୃଷି ଓ ଜଳଶକ୍ତି କ୍ଷେତ୍ରରେ ଅନେକ ଯୋଜନା ମୟୂରଭଞ୍ଜକୁ ଦିଆଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୋ ଶ୍ଵଶୁର ଘର ବିଶୋଇରେ ଥିବାରୁ ଏହା ମୋର ଦ୍ୱିତୀୟ ଘର ପରି। ଛୋଟବେଳୁ ଏଠାକୁ ଅନେକ ଥର ଆସିଛି।” ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଘୋଷିତ ୪ ରେଳଯୋଗାଯୋଗ ଓ ଘାଟି ରାସ୍ତା ସମ୍ପ୍ରସାରଣ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକାରୀ ହେବ।

ମୟୂରଭଞ୍ଜର ସାଂସ୍କୃତିକ ଓ ଐତିହାସିକ ଗୁରୁତ୍ୱକୁ ସେ ଉଲ୍ଲେଖ କରି କହିଛନ୍ତି, “ଛଉ ନୃତ୍ୟ, ଶିମିଳିପାଳ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପଣ୍ଡିତ ରଘୁନାଥ ମୁର୍ମୁ ଏହି ଅଞ୍ଚଳର ଗର୍ବ।” ୨୦୩୬ରେ ଓଡ଼ିଶାର ଶତାବ୍ଦୀ ଉତ୍ସବ ପାଇଁ “୩୬ ଲାଗି ୨୬” ଯୋଜନା ତଳେ ୩୬ଟି ଯୁଗାନ୍ତକାରୀ ପ୍ରକଳ୍ପ ପ୍ରସ୍ତୁତିରେ ଚାଲିଛି।

ମୁଖ୍ୟମନ୍ତ୍ରୀ ବିଶୋଇର ଧରଣୀଧର ପଡିଆକୁ ଷ୍ଟାଡିୟମ୍ ଭାବେ ଘୋଷଣା କରିଛନ୍ତି ଏବଂ ସେଠାରେ ସ୍ଵାଧୀନତା ସଂଗ୍ରାମୀ ଧରଣୀଧର ନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏଥିସହ ବିଶୋଇରେ ଏକ ଯୁକ୍ତ ଦୁଇ କଲେଜ ଓ ଜିଲ୍ଲାରେ ୧୦ ହଜାର କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି। ଏହା ରୋଜଗାର ସୃଷ୍ଟି କରି ଅର୍ଥନୀତିକ ବିକାଶକୁ ତ୍ୱରାନ୍ୱିତ କରିବ।