ରୋହିତ-କୋହଲିଙ୍କ ଅବସର: ବିସିସିଆଇ ଉପରେ ବର୍ଷିଲେ କୁମ୍ବଲେ
ନୂଆଦିଲ୍ଲୀ (ସଂକେତ ଟିଭି): ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ହଠାତ୍ ଟେଷ୍ଟ ଅବସର ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଉପରେ ସମାଲୋଚନା ବର୍ଷିଛି। ରୋହିତ ୭ ମଇରେ ଏବଂ କୋହଲି ୧୨ ମଇରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଅଭିଜ୍ଞ ଖେଳାଳିଙ୍କ ଚାଲିଯିବା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି।
ଏହି ପରିସ୍ଥିତିରେ ଭାରତର ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ BCCI ଉପରେ ତୀବ୍ର ସମାଲୋଚନା କରିଛନ୍ତି। ସେ କୋହଲି ଏବଂ ରୋହିତଙ୍କ ଟେଷ୍ଟ ଅବସର ପାଇଁ ଟିମ୍ ମ୍ୟାନେଜମେଣ୍ଟକୁ ଦାୟୀ କରିଛନ୍ତି। ଆଗାମୀ ଇଂଲଣ୍ଡ ଟେଷ୍ଟ ସିରିଜ୍ ପାଇଁ ଦଳ ଚୟନ ପୂର୍ବରୁ ରୋହିତ ଏବଂ କୋହଲି ଅବସର ନେଇଥିବାରୁ ସୋସିଆଲ ମିଡିଆରେ BCCI ଉପରେ ଆକ୍ରୋଶ ବର୍ଷିଛି। ଚୟନ କମିଟି ମୁଖ୍ୟ ଅଜିତ ଅଗରକରଠାରୁ ଆରମ୍ଭ କରି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଛି।
ESPNcricinfo ସହିତ କଥାବାର୍ତ୍ତାରେ କୁମ୍ବଲେ କହିଛନ୍ତି, “ପ୍ରଥମେ ଅଶ୍ୱିନ, ତା’ପରେ ରୋହିତ ଏବଂ ଶେଷରେ ବିରାଟ। ମୁଁ ଭାବୁଛି ଏହି ତିନି ଖେଳାଳିଙ୍କୁ ପ୍ରଶଂସକଙ୍କ ସାମ୍ନାରେ ଉପଯୁକ୍ତ ବିଦାୟ ଦେବା ଉଚିତ୍ ଥିଲା। BCCI ଏଥିପାଇଁ ଗୁରୁତ୍ୱ ଦେବା ଉଚିତ୍ ଥିଲା।” ସେ ଆହୁରି ମଧ୍ୟ କହିଛନ୍ତି ଯେ ରୋହିତ ଏବଂ କୋହଲିଙ୍କ ଅବସର ଭାରତୀୟ ଟେଷ୍ଟ ଦଳରେ ଏକ ବଡ଼ ଶୂନ୍ୟତା ସୃଷ୍ଟି କରିଛି।
ରୋହିତ ଏବଂ କୋହଲିଙ୍କ ଅନୁପସ୍ଥିତିରେ ଭାରତ ଇଂଲଣ୍ଡ ସିରିଜ୍ ପାଇଁ ଜଣେ ନୂଆ ଅଧିନାୟକଙ୍କୁ ନେଇ ଖେଳିବ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶୁଭମନ ଗିଲଙ୍କୁ ଏହି ଦାୟିତ୍ୱ ଦିଆଯାଇପାରେ। ଏଥିସହ ବ୍ୟାଟିଂ ଲାଇନ୍ ଅପ୍ରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିବ। ଚତୁର୍ଥ ନମ୍ବରରେ ବିରାଟଙ୍କ ସ୍ଥାନ ପୂରଣ କିଏ କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଇଂଲଣ୍ଡ ବିପକ୍ଷରେ ପାଞ୍ଚ ଟେଷ୍ଟର ସିରିଜ୍ ଜୁନ୍ ୨୦ ତାରିଖରୁ ଆରମ୍ଭ ହେବ।