FeaturedLatestNews

ବାଲେଶ୍ୱର ଏସପିଙ୍କ ମାନସିକ ନିର୍ଯ୍ଯାତନା ସହିନପାରି ଜଳେଶ୍ବର ଏସଡିପିଓଙ୍କ ଆତ୍ମହତ୍ୟା ଧମକ୍

ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ୱର ଏସ୍.ପି. ରାଜ ପ୍ରସାଦଙ୍କ ଉପରେ ମାନସିକ ଉତ୍ପୀଡନ, ଭେଦଭାବ ଓ ବୃତ୍ତିଗତ ଅପମାନର ଗୁରୁତର ଅଭିଯୋଗ କରି ଜଳେଶ୍ୱର ଏସ୍.ଡି.ପି.ଓ ବ୍ରଜମୋହନ ପ୍ରଧାନ ଆତ୍ମହତ୍ୟା ଧମକ ଦେଇଛନ୍ତି। ଏହାସହିତ ତାଙ୍କୁ ଏକାଧିକ ଦାୟିତ୍ୱ ଦେଇ ମାନସିକ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ କରିଛନ୍ତି ।

ଏସ୍.ଡି.ପି.ଓ ପ୍ରଧାନ ଅଭିଯୋଗ କରିଛନ୍ତି ଯେ, ବାଲେଶ୍ୱର ଏସ୍.ପି. ତାଙ୍କୁ ଜଳେଶ୍ୱର ଏସ୍.ଡି.ପି.ଓ ଭାବରେ କାର୍ଯ୍ୟ କରିବା ସହିତ ବାଲେଶ୍ୱର ଜିଲ୍ଲା ମୁଖ୍ୟାଳୟର ଡିଏସ୍.ପି. ଦାୟିତ୍ୱ ମଧ୍ୟ ଦେଇଛନ୍ତି। ଏଥିସହିତ ବସ୍ତା ଏସ୍.ଡି.ପି.ଓ ଭାବରେ ମଧ୍ୟ ତାଙ୍କୁ ଦାୟିତ୍ୱ ଦିଆଯାଇଛି, ଯାହା ଦୁଇଟି ମୁଖ୍ୟାଳୟ ମଧ୍ୟରେ ୬୦ କିଲୋମିଟର ଦୂରତା ଅତିକ୍ରମ କରି କାର୍ଯ୍ୟ କରିବାକୁ ପଡୁଛି। ୫୮ ବର୍ଷ ବୟସରେ ଏହି ଅତିରିକ୍ତ ଚାପ ତାଙ୍କୁ ଶାରୀରିକ ଓ ମାନସିକ ଭାବରେ ଅସୁସ୍ଥ କରିଦେଇଛି।

ସେ କରିଛନ୍ତି ଯେ, ବିଭିନ୍ନ ବୈଠକରେ ଜୁନିଅର କର୍ମଚାରୀ ଓ ଇନ୍ସପେକ୍ଟରମାନଙ୍କ ସାମ୍ନାରେ ତାଙ୍କୁ ବାରମ୍ବାର ଅପମାନିତ କରାଯାଇଛି। ଗତ ୪ ମାର୍ଚ୍ଚ ୨୦୨୫ରେ ବାଲେଶ୍ୱରର ଗାନ୍ଧୀ ସ୍ମୃତି ଭବନରେ ଏକ ସଭାରେ ଏମ୍.ପି., ଏମ୍.ଏଲ୍.ଏ. ଓ ଅନ୍ୟାନ୍ୟ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏସ୍.ପି. ତାଙ୍କୁ ସସ୍ପେଣ୍ଡ ଓ ବିଭାଗୀୟ କାର୍ଯ୍ୟବାହୀ କରିବାର ଧମକ ଦେଇଥିଲେ। ଏହି ଘଟଣା ତାଙ୍କ ମାନସିକ ସ୍ଵାସ୍ଥ୍ୟକୁ ଗମ୍ଭୀର ଭାବରେ ପ୍ରଭାବିତ କରିଛି।

ସେ କହିଛନ୍ତି ଯେ ମୁଁ ଆଦିବାସୀ ସମ୍ପ୍ରଦାୟର ଅଟେ ଏବଂ ଅତ୍ୟନ୍ତ ସମ୍ବେଦନଶୀଳ। ଯଦି ମୋ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେବ, ତେବେ ମୁଁ ଆତ୍ମହତ୍ୟା କରିବି। ଏହି ଚିଠିକୁ ମୋର ସୁଇସାଇଡ୍ ନୋଟ୍ ଭାବରେ ଗ୍ରହଣ କରାଯାଉ।”

ବୁଧବାର ଦିନ ଜଲେଶ୍ୱର ଥାନାରେ କାର୍ଯ୍ୟରତ ଥିବା ବେଳେ ଏସ୍.ଡି.ପି.ଓ ପ୍ରଧାନ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଜଲେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଖବର ପାଇ ପୂର୍ବାଞ୍ଚଳ ରେଞ୍ଜ ଡି.ଆଇ.ଜି. ଡଃ ସତ୍ୟଜିତ ନାୟକ ହସ୍ପିଟାଲରେ ତାଙ୍କୁ ଭେଟିଥିଲେ ଏବଂ ତାଙ୍କ ବୟାନ ରେକର୍ଡ୍ କରିଥିଲେ। ସେ କହିଛନ୍ତି ଯେ “ଏସ୍.ଡି.ପି.ଓ ପ୍ରଧାନଙ୍କ ଅଭିଯୋଗକୁ ଗମ୍ଭୀରତାର ସହିତ ନିଆଯାଇଛି। ତଦନ୍ତ ଚାଲିଛି ଏବଂ ଉଚିତ ପଦକ୍ଷେପ ନିଆଯିବ।”