ବିଷାକ୍ତ ଖାଦ୍ୟ ଖାଇ ୨୦ ତୀର୍ଥଯାତ୍ରୀ ଅସୁସ୍ଥ, ସୋର ଡାକ୍ତରଖାନାରେ ଭର୍ତ୍ତି
ବାଲେଶ୍ବର (ସଂକେତ ଟିଭି): ବେଙ୍ଗାଲୁରୁରୁ ଆସିଥିବା ୫୦ ଜଣ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ବିଷାକ୍ତ ଖାଦ୍ୟ ଖାଇ ବାଲେଶ୍ଵର ଜିଲ୍ଲାର ସୋରଠାରେ ଅସୁସ୍ଥ ହୋଇଥିବା ଜଣାପଡିଛି। ସେମାନଙ୍କୁ ତୁରନ୍ତ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଖବର ଅନୁଯାୟୀ, କର୍ଣ୍ଣାଟକର ବେଙ୍ଗାଲୁରୁରୁ ୫୦ ଜଣ ଯାତ୍ରୀ ଗତ ୨୬ ତାରିଖରେ ଏକ ବସ୍ରେ ବିଭିନ୍ନ ତୀର୍ଥସ୍ଥାନ ପରିଭ୍ରମଣ ପାଇଁ ବାହାରିଥିଲେ। ୨୫ ଦିନର ଏହି ଟୁର୍ରେ ଗୟାରୁ ପୁରୀ ଯାଉଥିବା ବେଳେ ସୋର ନିକଟରେ ଗତକାଲି ରାତିରେ ସେମାନଙ୍କ ପାଇଁ ଭାତ, ତରକାରୀ ଓ ସାମ୍ବର ରନ୍ଧନ କରାଯାଇଥିଲା। ଖାଦ୍ୟ ଗ୍ରହଣ କରିବାର କିଛି ସମୟ ପରେ ୨୦ରୁ ଅଧିକ ଲୋକ ଅସୁସ୍ଥତା ଅନୁଭବ କରିବା ସହିତ ଝାଡ଼ା ଓ ବାନ୍ତିରେ ଆକ୍ରାନ୍ତ ହୋଇଥିଲେ।
ଘଟଣା ପରେ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ଅଧିକାରୀମାନେ ଖାଦ୍ୟ ସାମଗ୍ରୀ ପରୀକ୍ଷା କରୁଛନ୍ତି। ଏହି ଘଟଣାରେ କୌଣସି ଜୀବନହାନି ହୋଇନଥିବା ଜଣାଯାଇଛି।