ସ୍ୱାଧୀନ ହେଲା ବେଲୁଚିସ୍ତାନ: ନେତା ମୀର୍ ୟାର୍ ବେଲୁଚଙ୍କ ଘୋଷଣା
ନୂଆଦିଲ୍ଲୀ (ସଂକେତ ଟିଭି): ବେଲୁଚିସ୍ତାନ ପାକିସ୍ତାନର ଅଂଶ ନ ଥିଲା ଏବଂ ଏବେ ବି ନୁହେଁ। ପାକିସ୍ତାନ ଏହାକୁ ଜୋରଜବରଦସ୍ତି ଅଧିକାର କରିନେଇଥିଲା। ଦଶନ୍ଧିଜୁଡ଼ା ହିଂସା, ଅପହରଣ, ହତ୍ୟା ଏବଂ ମାନବାଧିକାର ଉଲ୍ଲଂଘନ ଘଟିଚାଲିଛି। ଏବେ ପାକିସ୍ତାନଠାରୁ ବେଲୁଚିସ୍ତାନ ସ୍ୱାଧୀନ ହେଲା ବୋଲି ବେଲୁଚ ନେତା ମୀର୍ ୟାର୍ ବେଲୁଚ ଘୋଷଣା କରିଛନ୍ତି। ସେ ଅନ୍ତର୍ଜାତୀୟ ସମୁଦାୟଙ୍କ ସହାୟତା ମଧ୍ୟ ମାଗିଛନ୍ତି।
ଭାରତ-ପାକିସ୍ତାନ ମଧ୍ୟରେ ୪ ଦିନର ଯୁଦ୍ଧ ପରେ ଯୁଦ୍ଧବିରତି ଘୋଷିତ ହେବାର କିଛିଦିନ ପରେ ବେଲୁଚିସ୍ତାନର ନେତା ମୀର୍ ୟାର୍ ଏହି ଦାବି କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ଲେଖିଛନ୍ତି, “୧୯୪୭ ଅଗଷ୍ଟ ୧୧ରେ ଇଂରେଜମାନେ ଛାଡ଼ିଯିବା ପରେ ଆମେ ସ୍ୱାଧୀନତା ଘୋଷଣା କରିଥିଲୁ। ପାକିସ୍ତାନ ସେନା ପଳାୟନ କରିଥିବାରୁ ଏହା ନୂତନ ଘଟଣା ନୁହେଁ।”
ମୀର୍ ୟାର୍ ଭାରତୀୟ ମିଡିଆ, ୟୁଟ୍ୟୁବର୍ସ ଏବଂ ବୁଦ୍ଧିଜୀବୀଙ୍କୁ ଆହ୍ୱାନ କରି କହିଛନ୍ତି, “ଆମକୁ ପାକିସ୍ତାନୀ ବୋଲି ନ କୁହନ୍ତୁ। ଆମେ ବେଲୁଚିସ୍ତାନୀ। ପାକିସ୍ତାନର ପଞ୍ଜାବୀମାନେ ବୋମା ବିସ୍ଫୋରଣ ଓ ନରସଂହାରର ସମ୍ମୁଖୀନ ହୋଇନାହାନ୍ତି, କିନ୍ତୁ ଆମେ ଦଶକଜୁଡ଼ା ଅତ୍ୟାଚାର ସହ୍ୟ କରୁଛୁ।” ଭାରତର ‘ଅପରେସନ ସିନ୍ଦୂର’ ପରେ ସେ କହିଥିଲେ, “ଚୀନ୍ ପାକିସ୍ତାନକୁ ସହାୟତା ଦେଉଛି, କିନ୍ତୁ ବେଲୁଚିସ୍ତାନ ଭାରତକୁ ସମର୍ଥନ କରେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଛରେ ୬ କୋଟି ବେଲୁଚଙ୍କ ସମର୍ଥନ ରହିଛି।”
ମୀର୍ ୟାର୍ ପାକ୍-ଅଧିକୃତ କାଶ୍ମୀର (PoK) ପାଇଁ ଭାରତର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, “୨୦୨୫ ମେ ୧୪ରେ ପିଓକେ ଖାଲି କରିବା ପାଇଁ ଭାରତର ନିଷ୍ପତ୍ତିକୁ ବେଲୁଚିସ୍ତାନ ସମର୍ଥନ କରେ। ଅନ୍ତର୍ଜାତୀୟ ସମୁଦାୟ ମଧ୍ୟ ଏଥିରେ ସାହାଯ୍ୟ କରନ୍ତୁ। ପାକିସ୍ତାନ ସେନା ହାରିବ, ନଚେତ୍ ରକ୍ତପାତ ପାଇଁ ପାକ୍ ସେନା ଦାୟୀ ରହିବ।”
ସେ ଜୋର ଦେଇ କହିଛନ୍ତି, “ବେଲୁଚିସ୍ତାନ କେବେ ପାକିସ୍ତାନ ନଥିଲା। ବିଦେଶୀ ଶକ୍ତି ସହାୟତାରେ ପାକିସ୍ତାନ ଏହାକୁ ଅଧିକାର କରିଥିଲା। ଏଠାରେ ମାନବାଧିକାର ଉଲ୍ଲଂଘନ ବିଶ୍ୱବ୍ୟାପୀ ଗୁରୁତ୍ୱ ପାଇବା ଉଚିତ।”