ବିଜେଡି ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ମୁନା ଖାନଙ୍କ ଇସ୍ତଫା
ଭୁବନେଶ୍ବର (ସଂକେତ ଟିଭି): ସଂଖ୍ୟାଲଘୁ ସମ୍ପ୍ରଦାୟ କମିଟି ଏବଂ ସଂଖ୍ୟାଲଘୁ ସେଲ୍ ର ଦକ୍ଷିଣ ଜୋନ୍ ସଂଯୋଜକ ପଦରୁ ବିଜେଡି ସାଂସଦ ମୁନ୍ନା ଖାଁ ଇସ୍ତଫା ଦେଇଥିବା ଚର୍ଚ୍ଚା ଚାଲିଛି । ତାଙ୍କ ହଠାତ୍ ଇସ୍ତଫା ରାଜ୍ୟ ରାଜନୈତିକ ମହଲରେ ଉତ୍ତେଜନା ସୃଷ୍ଟି କରିଛି ଏବଂ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।
ଗତ ୫ ମେ ରେ ବିଜେଡି ସଂଖ୍ୟାଲଘୁ ସମ୍ପ୍ରଦାୟ କମିଟି ଗଠନ କରିଥିଲା, ଯେଉଁଥିରେ ଦିଲୀପ ତିର୍କୀଙ୍କୁ କନଭେନର୍ ଭାବେ ଦାୟିତ୍ୱ ଦିଆଯାଇଥିଲା । ସାଉଥ୍ ଜୋନ୍ ର କୋ-ଅର୍ଡିନେଟର୍ ଭାବେ ମୁନ୍ନା ଖାଁଙ୍କୁ ନିଯୁକ୍ତି ଦିଆଯାଇଥିଲେ । ହେଲେ, ସେ ଏହି ଦାୟିତ୍ୱକୁ ନେଇ ଅସନ୍ତୁଷ୍ଟ ଥିବାରୁ ନବୀନ ନିବାସକୁ ଯାଇ ନିଜ ଅସନ୍ତୋଷ ଜଣାଇଥିଲେ ଏବଂ ପଦରୁ ଇସ୍ତଫା ଦେଇଛନ୍ତି ।
ଏହାପୂର୍ବରୁ ଓ୍ୱାକଫ୍ ବିଲକୁ ନେଇ ମୁନ୍ନା ଖାଁ ବିବାଦରେ ଜଡ଼ିତ ହୋଇଥିଲେ । ଦଳର ଅନ୍ୟ ସାଂସଦମାନେ ଏହି ବିଲକୁ ସମର୍ଥନ କରିଥିବା ବେଳେ, ମୁନ୍ନା ଏହାକୁ ଖୋଲାଖୋଲି ବିରୋଧ କରିଥିଲେ । ଫଳରେ ବିଜେଡି ଭିତରେ ଥିବା ମତଭେଦ ବାହାରକୁ ଦେଖାଯାଇଥିଲା ।
ମୁନ୍ନା ଖାଁଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ବିବୃତି ନଥିବାରୁ, ତାଙ୍କ ଇସ୍ତଫା ପଛର କାରଣ ସ୍ପଷ୍ଟ ନୁହେଁ । ତାଙ୍କ ଏହି ପଦକ୍ଷେପ ବିଜେଡିର ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ପ୍ରଚାର ଉପରେ କି ପ୍ରଭାବ ପକାଇବ, ତାହା ନେଇ ମଧ୍ୟ ଆଲୋଚନା ଚାଲିଛି । ଦଳ ଭିତରେ ଏହି ଘଟଣା ନେଇ ଆଭ୍ୟନ୍ତରୀଣ ଅସ୍ଥିରତା ସୃଷ୍ଟି ହୋଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି ।