ଓବିସି ସଂରକ୍ଷଣ ନୀତିକୁ ନେଇ ୨୧ରେ ଗଣଧାରଣା ଦେବ ବିଜେଡି
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ସରକାରଙ୍କ OBC ସଂରକ୍ଷଣ ନୀତିକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ କଟାକ୍ଷ କରିଛନ୍ତି । ସରକାର ଶିକ୍ଷା କ୍ଷେତ୍ରରେ OBCଙ୍କ ପାଇଁ ୧୧.୨୫% ସଂରକ୍ଷଣ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିବାକୁ ଉଲ୍ଲେଖ କରି ସେ ଏହାକୁ ଏକ “ଧୋକା ଓ ପ୍ରବଞ୍ଚନା” ବୋଲି ଆକ୍ଷେପ କରିଛନ୍ତି ।
ଶିକ୍ଷା କ୍ଷେତ୍ରରେ OBCଙ୍କ ପାଇଁ ୨୭% ସଂରକ୍ଷଣ ଲାଗୁ କରିବାକୁ ବିଜେଡି ଦୀର୍ଘଦିନ ଧରି ଦାବି କରି ଆସୁଛି । ଅରୁଣ ସାହୁ ଅଭିଯୋଗ କରିଛନ୍ତି ଯେ, ସରକାର ତରବରିଆ ନିଷ୍ପତ୍ତି ନେଇ ଯୁକ୍ତ ୩ରେ ଖାଲି ପଡ଼ିଥିବା ସିଟ୍ ଗୁଡ଼ିକରେ ସଂରକ୍ଷଣ ଲାଗୁ କରି ଜନତାକୁ ଭୁଲାଇବାର ଚେଷ୍ଟା କରୁଛନ୍ତି । ସେ କହିଛନ୍ତି, “SC/ST ଏବଂ OBC ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଉଚିତ ସଂରକ୍ଷଣ ଦେବା ଆବଶ୍ୟକ । ମେଡିକାଲ ଏବଂ ଇଞ୍ଜିନିୟରିଂ ଭଳି ବୃତ୍ତିମୂଳକ ଶିକ୍ଷାରେ ମଧ୍ୟ ସଂରକ୍ଷଣ ଲାଗୁ ହେବା ଉଚିତ ।”
ସରକାରଙ୍କ ନିଷ୍ପତ୍ତିକୁ ବିଜେଡି ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛି ଏବଂ ହଦ୍ଦାୟତ ଦେଇଛି ଯେ, ୨୧ ମଇରେ ରାଜଭବନ ସାମ୍ନାରେ ଏକ ବିଶାଳ ଗଣଧାରଣା ଆୟୋଜିତ ହେବ । ଏଥିସହ ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନ ମଧ୍ୟ ହେବ ବୋଲି ବିଜେଡି ବିଧାୟକ ଘୋଷଣା କରିଛନ୍ତି ।