ଆତଙ୍କବାଦ ବିରୋଧରେ ନୂଆଦିଲ୍ଲୀରେ ଭାରତ-ଆଫଗାନିସ୍ତାନ ଉଚ୍ଚସ୍ତରୀୟ ଆଲୋଚନା
ନୂଆଦିଲ୍ଲୀ (ସଂକେତ ଟିଭି): ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତକୁ ମୁସଲିମ ଦେଶମାନଙ୍କ ସହିତ ତାଲିବାନ-ଶାସିତ ଆଫଗାନିସ୍ତାନରୁ ମଧ୍ୟ ସମର୍ଥନ ମିଳିଛି। ଏହି ପରିପ୍ରେକ୍ଷୀରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଗୁରୁବାର ପ୍ରଥମ ଥର ପାଇଁ ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଅଗଷ୍ଟ ୨୦୨୧ରେ ତାଲିବାନ ଆଫଗାନ ଶାସନ ଦାୟିତ୍ୱ ଗ୍ରହଣ ପରେ ଏହି ଦୁଇ ଦେଶ ମଧ୍ୟରେ ଏହା ପ୍ରଥମ ଉଚ୍ଚସ୍ତରୀୟ ରାଜନୈତିକ କୂଟନୀତିକ ଆଲୋଚନା।
ଅପରେସନ ସିନ୍ଦୂର ଅଧୀନରେ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପରେ ଭାରତ-ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ଚରମ ସୀମାରେ ଥିବା ସମୟରେ ଏହି ଆଲୋଚନା ଅନୁଷ୍ଠିତ ହୋଇଥିଲା। ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ଆଫଗାନ ସରକାର କଠୋର ଭାବେ ନିନ୍ଦା କରିଥିଲେ, ଯାହାକୁ ଜୟଶଙ୍କର ଗଭୀର ଭାବେ ପ୍ରଶଂସା କରିଛନ୍ତି। ଟ୍ୱିଟରରେ ଜୟଶଙ୍କର ଲେଖିଛନ୍ତି, “ଆଫଗାନ ବୈଦେଶିକ ମନ୍ତ୍ରୀଙ୍କ ସହ ଉତ୍ତମ ଆଲୋଚନା ହୋଇଥିଲା। ଆତଙ୍କବାଦ ବିରୋଧରେ ସେମାନଙ୍କ ସ୍ପଷ୍ଟ ମତ ପାଇଁ ଧନ୍ୟବାଦ। ଆମ ଦୁଇ ଦେଶର ଐତିହାସିକ ବନ୍ଧୁତ୍ଵକୁ ଆମେ ଗୁରୁତ୍ୱ ଦେଉଛୁ।”
ତାଲିବାନ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ମୁତାକି ଭାରତ ସହିତ ବାଣିଜ୍ୟ, କୂଟନୀତି ଓ ରାଜନୈତିକ ସମ୍ପର୍କ ମଜବୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସେ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ଭାବେ ବର୍ଣ୍ଣନା କରି ଐତିହାସିକ ସମ୍ପର୍କକୁ ଆହୁରି ଦୃଢ଼ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପଥ୍ରେ, ଆଫଗାନ ବ୍ୟବସାୟୀ ଓ ଚିକିତ୍ସା ପ୍ରାର୍ଥୀଙ୍କ ପାଇଁ ଭାରତୀୟ ଭିସା ପ୍ରକ୍ରିୟା ସରଳ କରିବାକୁ ମଧ୍ୟ ତାଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି।
ମୁତାକି ଭାରତରେ ବନ୍ଦୀ ହୋଇଥିବା ଆଫଗାନ ନାଗରିକଙ୍କୁ ମୁକ୍ତ କରାଯିବା ସହ ସେମାନଙ୍କୁ ଦେଶକୁ ଫେରିବାରେ ସହାୟତା କରିବାକୁ ମଧ୍ୟ ଦାବି କରିଛନ୍ତି। ଜୟଶଙ୍କର ଏଥିପ୍ରତି ସକାରାତ୍ମକ ସହଯୋଗର ଆଶ୍ୱାସନା ଦେଇ କହିଛନ୍ତି ଯେ ଭାରତ ଆଫଗାନିସ୍ତାନ ସହ ରାଜନୈତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ନିବିଡ଼ ଭାବେ କାମ କରିବ।