CulturalFeaturedLatestNews

ଦରମା ନମିଳିବାରୁ ଥାନାରେ ଏତଲା ଦେଲେ ଯାତ୍ରା କଳାକାର

ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲାର ସିମୁଳିଆ ଅଞ୍ଚଳରେ ରାଜଧାନୀ ଯାତ୍ରା ପାର୍ଟିର କଳାକାରଙ୍କୁ ଦରମା ନମିଳିବା ନେଇ ବିବାଦ ସୃଷ୍ଟି ହୋଇଛି । ଗତ ୪ ଦିନ ଧରି ଯାତ୍ରା ପାର୍ଟି ପଡ଼ିଥିବା ବେଳେ କଳାକାରମାନଙ୍କୁ ସେମାନଙ୍କର ପ୍ରାପ୍ୟ ଠିକ୍ ସମୟରେ ଦିଆଯାଉନଥିବାରୁ ସିମୁଳିଆ ଥାନାରେ ଅଭିଯୋଗ ହୋଇଛି ।

ରାଜଧାନୀ ଅପେରାର ଚର୍ଚ୍ଚିତ ଖଳନାୟକ ମଣ୍ଟୁ ଯାତ୍ରା ମାଲିକ ପବିତ୍ର ପାତ୍ରଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ଗୁରୁବାର ରାତିରେ ସେ ସିମୁଳିଆ ଥାନାରେ ଅଭିଯୋଗ ଦାଖଲ କରି କହିଛନ୍ତି ଯେ, ମାଲିକ ତାଙ୍କୁ ଚଳିତ ବର୍ଷର ତିନି ମାସର ଦରମା ୧ ଲକ୍ଷ ୬୫ ହଜାର ଟଙ୍କା ବାକି ରଖିଛନ୍ତି । ମଣ୍ଟୁ କହିଛନ୍ତି ଯେ, ସେ ପବିତ୍ରଙ୍କୁ ଫୋନ୍ କରିବା ସତ୍ତ୍ୱେ ସେ ଫୋନ୍ ଉଠାଉନାହାନ୍ତି । ପୂର୍ବରୁ ମଧ୍ୟ କିଛି ଟଙ୍କା ବାକି ଥିବା ସତ୍ତ୍ୱେ ମାଲିକ ସବୁ ଟଙ୍କା ଦେଇସାରିଛନ୍ତି ବୋଲି ମିଥ୍ୟା କଥା କହି ତାଙ୍କୁ ଭଣ୍ଡାଉଥିବାର ଅଭିଯୋଗ କରିଛନ୍ତି । ନିରାଶ ହୋଇ ସେ ପୋଲିସର ଆଶ୍ରୟ ନେଇଛନ୍ତି ଏବଂ ମାଲିକଙ୍କୁ ଟଙ୍କା ଫେରସ୍ତ ଦେବାକୁ ଅନୁରୋଧ କରିଛନ୍ତି ।

ଏହି ଘଟଣାରେ କେବଳ ମଣ୍ଟୁ ନୁହେଁ, ଅନେକ କଳାକାର ମଧ୍ୟ ଯାତ୍ରା ମାଲିକ ପବିତ୍ର ପାତ୍ରଙ୍କ ବିରୁଦ୍ଧରେ ସମାନ ଅଭିଯୋଗ କରିଛନ୍ତି । ଯାତ୍ରା କଳାକାରମାନେ ପେଣ୍ଡାଲରେ କଠିନ ପରିଶ୍ରମ କରି ମାଲିକଙ୍କୁ ଭଲ ଆୟ କରାଇଦେଉଥିବା ସତ୍ତ୍ୱେ କାହିଁକି ସେମାନଙ୍କୁ ଦରମା ଠିକ୍ ସମୟରେ ଦିଆଯାଉନାହିଁ ବୋଲି ଚର୍ଚ୍ଚା ଚାଲିଛି ।

ସିମୁଳିଆ ଥାନା ଆଇଆଇସି ଶ୍ରବଣ କୁମାର ମହାରଣା ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱ ସହକାରେ ତଦନ୍ତ କରୁଛନ୍ତି । ଅନ୍ୟପଟେ, ଯାତ୍ରା ମାଲିକ ପବିତ୍ର ପାତ୍ରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ । ଘଟଣାଟି ନେଇ ସ୍ଥାନୀୟ ସ୍ତରରେ ଚର୍ଚ୍ଚା ବ୍ୟାପିଛି ।