FeaturedGeneralLatest

ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୧୭ ଜଣ ମୃତ୍ୟୁ, ୧୦ ଜଣ ଗୁରୁତର ଆହତ

ନୂଆଦିଲ୍ଲୀ (ସଂକେତ ଟିଭି): ହାଇଦ୍ରାବାଦର ଚାରମିନାର ନିକଟସ୍ଥ ଗୁଲଜାର ହାଉଜ କୋଠାରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଏବଂ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। କୋଠାଟି ଉଭୟ ଆବାସିକ ଏବଂ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ବେଳେ ରବିବାର ଭୋର ସାଢ଼େ ୫ଟାରେ ଅଗ୍ନିକାଣ୍ଡ ଘଟିଥିଲା।

ସେତେବେଳେ ଅଧିକାଂଶ ଲୋକ ଶୋଇଥିବାରୁ ଅଗ୍ନିକାଣ୍ଡ ସମ୍ପର୍କରେ ସମୟରେ ଜାଣିପାରିନଥିଲେ। ଫଳସ୍ୱରୂପ, ନିଆଁ ଏବଂ ଧୂଆଁରେ ଅଣନିଃଶ୍ୱାସ ହୋଇ ଅନେକେ ପ୍ରାଣ ହରାଇଛନ୍ତି। ଆହତମାନଙ୍କୁ ଡିଆରଡିଓ ହସ୍ପିଟାଲ ଏବଂ ଓସମାନିଆ ଜେନେରାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ନିଆଁ ନିର୍ବାପଣ ପାଇଁ ୧୧ଟି ଫାୟାର ଇଞ୍ଜିନ୍ ନିୟୋଜିତ ହୋଇଥିଲା।

ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପରିବାରକୁ ପ୍ରତ୍ୟେକକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ସୂଚନା ଦେଇଛି।

ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ, ମାତ୍ର ବିଦ୍ୟୁତ୍ ଶର୍ଟସର୍କିଟକୁ ଏହାର କାରଣ ଭାବେ ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ତଦନ୍ତ ଚାଲିଛି ଏବଂ ସ୍ଥାନୀୟ ପ୍ରଶାସନ ଦୁର୍ଘଟଣାରେ ପୀଡ଼ିତଙ୍କୁ ସହାୟତା ପ୍ରଦାନରେ ନିୟୋଜିତ ଅଛି।