୬,୨୧୦ କୋଟି ଟଙ୍କା ୟୁକୋ ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ପୂର୍ବତନ ସିଏମଡି ଗିରଫ
ନୂଆଦିଲ୍ଲୀ (ସଂକେତ ଟିଭି): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କରେ ଏକ ବଡ଼ ଧରଣର ଋଣ ଦୁର୍ନୀତିର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ ଇଡି ତରଫରୁ ବ୍ୟାପକ ତଦନ୍ତ ଚାଲିଛି। ଏଥିପାଇଁ ୟୁକୋ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ସୁବୋଧ କୁମାର ଗୋୟଲଙ୍କୁ ଗିରଫ କରାଯାଇଛି।
ଇଡି ଅନୁଯାୟୀ, ସୁବୋଧ ଗୋୟଲ ତାଙ୍କ କାର୍ଯ୍ୟକାଳରେ କନକାଷ୍ଟ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍ (ସିଏସପିଏଲ) ନାମକ ଏକ କୋଲକାତା ସ୍ଥିତ କମ୍ପାନୀକୁ ବିପୁଳ ପରିମାଣର ଋଣ ଅନୁମୋଦନ କରିଥିଲେ। ଋଣ ଅର୍ଥ କମ୍ପାନୀର ନାମରେ ଦିଆଯାଇଥିବା ସତ୍ତ୍ୱେ ତାହା ଅନ୍ୟ ଖାତାକୁ ଟ୍ରାନ୍ସଫର କରାଯାଇଥିଲା। ଇଡି ଦାବି କରିଛି ଯେ ଏହି କମ୍ପାନୀ ଦ୍ୱାରା ୬,୨୧୦ କୋଟି ଟଙ୍କା ଅନ୍ୟତ୍ର ପ୍ରେରଣ କରାଯାଇଥିଲା।
ଇଡିର ଅଭିଯୋଗ ଅନୁସାରେ, ଗୋୟଲ ଏହି ଅନିୟମିତ ଋଣ ବଣ୍ଟନ ପାଇଁ ବଡ଼ ପରିମାଣର ଲାଞ୍ଚ ଗ୍ରହଣ କରିଥିଲେ। ନଗଦ ଟଙ୍କା, ମୂଲ୍ୟବାନ ସମ୍ପତ୍ତି, ବିଳାସପୂର୍ଣ୍ଣ ଜିନିଷ ଏବଂ ହୋଟେଲ ବୁକିଂ ଭଳି ସୁବିଧା ଗୋପନୀୟ ନେଟୱାର୍କ ମାଧ୍ୟମରେ ତାଙ୍କୁ ପ୍ରଦାନ କରାଯାଇଥିଲା। ଇଡି ଏହି ମାମଲାରେ ଆହୁରି ତଦନ୍ତ ଚାଲାଇଛି ଏବଂ ଅନ୍ୟାନ୍ୟ ଜଡିତ ଅଧିକାରୀଙ୍କୁ ମଧ୍ୟ ଧରାବନ୍ଧରେ ନେବା ହୋଇପାରେ।