FeaturedLatestNews

ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା

ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିରୁ ଗୋଟିଏ ଆରବ ସାଗରରେ ଓ ଅନ୍ୟଟି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ପାଣିପାଗ ବିଶେଷଜ୍ଞ ପ୍ରଫେସର୍ ସୁରେନ୍ଦ୍ରନାଥ ପଶୁପାଳକଙ୍କ ମତରେ, ଏହି ଲଘୁଚାପଗୁଡ଼ିକ ଅଧିକ ଘନୀଭୂତ ହେବାର ଆଶଙ୍କା ରହିଛି।

ଆରବ ସାଗରରେ ଲଘୁଚାପ: ୨୩ ତାରିଖରେ କେନ୍ଦ୍ରୀୟ-ପୂର୍ବ ଆରବ ସାଗରରେ ମହାରାଷ୍ଟ୍ର ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୪ ତାରିଖରେ ଏହା ଲଘୁଚାପରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ୨୫ ତାରିଖରେ ଏହା ବାତ୍ୟା ଏବଂ ୨୭ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ହୋଇ ୨୯ ତାରିଖରେ ଗୁଜୁରାଟ ଉପକୂଳକୁ ଆଘାତ କରିପାରେ।

ବଙ୍ଗୋପସାଗରରେ ଲଘୁଚାପ: ଅନ୍ୟ ପକ୍ଷରେ, ୨୭ ତାରିଖରେ କେନ୍ଦ୍ରୀୟ ପୂର୍ବ-ବଙ୍ଗୋପସାଗରରେ ଥାଇଲାଣ୍ଡ ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୮ ତାରିଖରେ ଏହା ଲଘୁଚାପରେ ପରିଣତ ହୋଇ ୨୯ ତାରିଖରେ ଅବପାତ ଭାବେ ବାଂଲାଦେଶ କିମ୍ବା ପଶ୍ଚିମବଙ୍ଗ ଉପକୂଳକୁ ଆସିପାରେ। ଏହାର ଗତିପଥ ଉପରେ ନିରନ୍ତର ନଜର ରଖାଯାଉଛି।

ଓଡ଼ିଶାରେ ଗରମ ଓ କାଳବୈଶାଖୀ: ଏହି ସମୟରେ ଓଡ଼ିଶାରେ ଗରମ ଓ ଆର୍ଦ୍ର ପାଣିପାଗ ଜାରି ରହିଛି। କାଳବୈଶାଖୀ ବର୍ଷା ସହିତ ଅସହ୍ୟ ଗରମି ଆହୁରି ୫ ଦିନ ଯାଏଁ ରହିବ। ସୋମବାର ଯାଏଁ ଉଷ୍ମ ଓ ଆର୍ଦ୍ର ପରିସ୍ଥିତି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ବର୍ଷା ଆଶଙ୍କା: ସୋମବାର ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ନୂଆପଡ଼ା ଆଦି ୧୫ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକରେ ୩୦ରୁ ୫୦ କିମି ବେଗରେ ପବନ ବହିପାରେ। ଏଥିପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଉଷ୍ମ ଆଲର୍ଟ: ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାଗୁଡ଼ିକରେ ଉଷ୍ମ ଓ ଆର୍ଦ୍ର ପରିସ୍ଥିତି ରହିବାରୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟାରେ ସମ୍ବଲପୁର ରାଜ୍ୟର ସବୁଠାରୁ ଗରମ ସହର ହୋଇଥିବା ବେଳେ ସେଠାର ତାପମାତ୍ରା ୪୦.୬ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି