ଚିଟ୍ଫଣ୍ଡ ପ୍ରସଙ୍ଗ : ଟଙ୍କା ଆସୁଛି ଫେରସ୍ତ ହେବ: ବିଜେପି, ବିଜେଡି କହୁଛି ଏସବୁ ବାହାନା
ଭୁବନେଶ୍ଵର (ସଂକେତ ଟିଭି): ଚିଟ୍ଫଣ୍ଡ ଘୋଟାଳାରେ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ନେଇ ବିଜେପି ଓ ବିଜେଡି ମଧ୍ୟରେ ତୀଖ୍ ଆଖାପାଖି ଚାଲିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦାବି କରିଛନ୍ତି ଯେ, ସରକାର ସଂକଳ୍ପପତ୍ର ଅନୁଯାୟୀ ସମସ୍ତ ୪୦ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଚିଟ୍ଫଣ୍ଡ ଟଙ୍କା ଫେରାଇବେ ।
ମନମୋହନ ସାମଲ କହିଛନ୍ତି, “ଆମେ ସିଆଇଏସଏଫ ଲଗାଇ ଚିଟ୍ଫଣ୍ଡ ବ୍ୟବସ୍ଥା ବନ୍ଦ କରିଛୁ । ପୂର୍ବ ସରକାରଙ୍କ କାର୍ଯ୍ୟକଳାପ ଧୀରେ ଧୀରେ ବାହାରିଆସୁଛି । କାଗଜପତ୍ର ସଂଗ୍ରହ ଶେଷ ହେଲେ ନୀତିଗତ ନିଷ୍ପତ୍ତି ନିଆଯିବ ।”
ଏଥିକୁ ବିଜେଡି ତୀବ୍ର ପ୍ରତିକ୍ରିୟା ଦେଇଛି । ବିଜେଡି ବିଧାୟକ ଧୃବ ସାହୁ କହିଛନ୍ତି, “କାଗଜ ନମିଳିବା ବାହାନା ଦେଇ ସରକାର ନିଜ ବିଫଳତା ଲୁଚାଉଛନ୍ତି । ଇଡି, ସିବିଆଇ ତଦନ୍ତ କରି ବି ଯଦି କିଛି ପାଇନାହାଁନ୍ତି, ତାହା ସରକାରଙ୍କ ଅକ୍ଷମତାକୁ ଦର୍ଶାଏ ।”
ଅନ୍ୟ ଏକ ବିଜେଡି ବିଧାୟକ ଅରୁଣ ସାହୁ ଆକ୍ଷେପ କରିଛନ୍ତି, “ନିର୍ବାଚନୀ ଇସ୍ତାହାରରେ ଟଙ୍କା ଫେରାଇବା ଲେଖିଥିଲେ ବି ଏବେ ଦାୟିତ୍ୱ ନେଉନାହାଁନ୍ତି । ୨୪ ବର୍ଷର ଦୋଷ ଦେଇ ନିଜ ଅକର୍ମଣ୍ୟତାକୁ ଲୁଚାନ୍ତୁ ନାହିଁ ।”
କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ମଧ୍ୟ ବିଜେପି ସରକାରଙ୍କୁ ଆକ୍ଷେପ କରି କହିଛନ୍ତି, “ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭରସା ଦେଇଥିଲେ, କିନ୍ତୁ ଏବେ କାଗଜ ନଥିବା ବାହାନା । ଏହା ଏକ ପ୍ରହସନ ମାତ୍ର ।”
ଏହି ବିବାଦ ମଧ୍ୟରେ କ୍ଷତିଗ୍ରସ୍ତମାନେ ନ୍ୟାୟ ପାଇଁ ଚାପ ସୃଷ୍ଟି କରିଛନ୍ତି, ଯେଉଁଥିରେ ସରକାର କିପରି ପ୍ରତିକ୍ରିୟା ଦେଉଛନ୍ତି, ତାହା ଆଗାମୀ ଦିନଗୁଡ଼ିକରେ ସ୍ପଷ୍ଟ ହେବ ।