ରାଜ୍ୟ କ୍ୟାବିନେଟ ଢାଞ୍ଚାର ପରିବର୍ତ୍ତନ: ମନ୍ତ୍ରୀଙ୍କ କ୍ଷମତା ବୃଦ୍ଧି, ସଚିବଙ୍କ ଅଧିକାର ସୀମିତ
ଭୁବନେଶ୍ଵର (ସଂକେତ ଟିଭି): ରାଜ୍ୟ କ୍ୟାବିନେଟର ପରିଚାଳନା ଢାଞ୍ଚାରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଆଣିଛି ସରକାର। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, କ୍ୟାବିନେଟ ବୈଠକରେ ସଚିବଙ୍କ କ୍ଷମତା ସୀମିତ କରାଯାଇଛି, ବିପରୀତରେ ମନ୍ତ୍ରୀଙ୍କୁ ଅଧିକ କ୍ଷମତା ଦିଆଯାଇଛି। ଏହି ନୂତନ ବ୍ୟବସ୍ଥା ଅନୁସାରେ, କ୍ୟାବିନେଟ ବୈଠକର ତାରିଖ ୫ ଦିନ ପୂର୍ବରୁ ଚୂଡାନ୍ତ ହେବ, ଯେଉଁଥିରେ ସମସ୍ତ ପ୍ରସ୍ତାବ ୩ ଦିନ ପୂର୍ବରୁ ଚୂଡାନ୍ତ ହେବା ଆବଶ୍ୟକ।
ନୂତନ ନିୟମ ଅନୁଯାୟୀ, ମନ୍ତ୍ରୀଙ୍କ ପାଖକୁ କ୍ୟାବିନେଟ ପ୍ରସ୍ତାବର ଫାଇଲ ୨ ଦିନ ପୂର୍ବରୁ ପଠାଯିବ। ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କୌଣସି ପ୍ରସ୍ତାବ କ୍ୟାବିନେଟକୁ ଆସିପାରିବ ନାହିଁ ବା ବିଭାଗୀୟ ସଚିବ କ୍ୟାବିନେଟରେ ବସିପାରିବେ ନାହିଁ। କ୍ୟାବିନେଟ ଏଜେଣ୍ଡାରେ ଥିବା ପ୍ରସ୍ତାବ ସମ୍ପର୍କିତ ବିଭାଗୀୟ ସଚିବମାନେ କ୍ୟାବିନେଟ ରୁମରେ ନ ବସି ପାଖରେ ଅଲଗା ରୁମରେ ରହିବେ, ଯଦିଓ ଆବଶ୍ୟକତା ଅନୁସାରେ ସେମାନେ ବୈଠକ କକ୍ଷକୁ ଯାଇପାରିବେ।
ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ଯେ, କ୍ୟାବିନେଟରେ ପାରିତ ପ୍ରସ୍ତାବଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବା ମନ୍ତ୍ରୀମାନଙ୍କ ଦାୟିତ୍ୱ। ଏହି ପରିବର୍ତ୍ତନ ପୂର୍ବରୁ, ବିଜେଡି ସରକାରଙ୍କ ସମୟରେ ବିରୋଧୀଦଳ ଅଭିଯୋଗ କରୁଥିଲେ ଯେ କ୍ୟାବିନେଟ ଏଜେଣ୍ଡା ମନ୍ତ୍ରୀଙ୍କ ପାଖକୁ ଠିକ୍ ସମୟରେ ପହଞ୍ଚୁନଥାଏ। ତେବେ, ନୂତନ ପ୍ରଣାଳୀ ଏହି ସମସ୍ୟାର ସମାଧାନ କରିବ ବୋଲି ଆଶା କରାଯାଉଛି।
ନୂଆ ନିୟମ ଅନୁଯାୟୀ, କ୍ୟାବିନେଟ ବୈଠକରେ ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନରଙ୍କୁ ଛାଡ଼ି ଅନ୍ୟ କେହି ଉପସ୍ଥିତ ରହିପାରିବେ ନାହିଁ। ଏହି ପରିବର୍ତ୍ତନ ରାଜ୍ୟର ପ୍ରଶାସନିକ ପ୍ରକ୍ରିୟାକୁ ଅଧିକ ସୁଗମ ଏବଂ ପାରଦର୍ଶୀ କରିବ ବୋଲି ସରକାର ଆଶା କରୁଛନ୍ତି। ୮ ତାରିଖରେ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମା ଅନୁଯାୟୀ, ୧୪ ତାରିଖରେ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନୂତନ ପ୍ରଣାଳୀ ପ୍ରଯୁଜ୍ୟ ହୋଇଥିଲା।