FeaturedLatestNews

୪-୫ ଦିନରେ କେରଳ ଉପକୂଳରେ ପହଞ୍ଚିବ ଦକ୍ଷିଣ-ପଶ୍ଚିମ ବାୟୁ

ଭୁବନେଶ୍ଵର (ସଂକେତ ଟିଭି): ଏବର୍ଷ ମୌସୁମୀ ବାୟୁ ସାମାନ୍ୟ ଆଗୁଆ ଆସିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ । ଏହି ବର୍ଷ ମୌସୁମୀ ସାମୟିକ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଆସିବା ନେଇ ପାଣିପାଗ ଅନୁକୂଳ ରହିଛି । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ‘ଏକ୍ସ’ ଏହି ସୂଚନା ଦେଇଛନ୍ତି ।

ଗତ ୧୩ ମେ’ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗରରେ ପ୍ରବେଶ କରିଥିଲା । ବର୍ତ୍ତମାନ ଏହା ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇଛି । ମୌସୁମୀ କେରଳ ଛୁଇଁବାର ପରେ ୨-୩ ଦିନ ଭିତରେ ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିବ । ସାଧାରଣତଃ ପ୍ରତିବର୍ଷ ଜୁନ୍ ୧ ତାରିଖରେ ମୌସୁମୀ କେରଳ ଉପକୂଳ ଛୁଇଁଥାଏ, ମାତ୍ର ଏବର୍ଷ ଏହା ଆଗୁଆ ଆସିବାର ସମ୍ଭାବନା ରହିଛି ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି, ଜୁନ୍ ଦ୍ୱିତୀୟ ସପ୍ତାହରେ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବ । ଏଥିସହିତ, ମେ’ ମାସ ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୧ ମେ’ ବେଳକୁ ଆରବସାଗରର କର୍ଣ୍ଣାଟକ ଉପକୂଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ, ଯାହା ପରେ ଲଘୁଚାପରେ ପରିଣତ ହେବ । ଏହି ଲଘୁଚାପ ଉତ୍ତର ଦିଗକୁ ଗତି କରିବା ସମ୍ଭାବନା ଅଛି ।

ଏହାଛଡା, ୨୭ ମେ’ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା’ର ଆଖପାଖ ଅଞ୍ଚଳରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ, ଯାହା ପରବର୍ତ୍ତୀ ସମୟରେ ଲଘୁଚାପରେ ପରିଣତ ହେବ । ଏହି ପରିସ୍ଥିତି ମୌସୁମୀ ବାୟୁକୁ ଅଧିକ ଶକ୍ତିଶାଳୀ କରିବାରେ ସହାୟକ ହୋଇପାରେ ।