ଯୁକ୍ତ ୨ ପରୀକ୍ଷା ଫଳ ଘୋଷଣା: ପାସ୍ ହାର ୮୨.୭୭%, ଝିଅମାନେ ଆଗରେ
ଭୁବନେଶ୍ବର (ସଂକେତ ଟିଭି): ବୁଧବାର ଅପରାହ୍ନରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ (ଯୁକ୍ତ ୨) ପରୀକ୍ଷା-୨୦୨୫ର ଫଳାଫଳ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ଦୀର୍ଘ ଦିନ ଧରି ଯାହା ପାଇଁ ଅପେକ୍ଷା କରିଥିଲେ, ତାହା ଆଜି ସମାପ୍ତ ହୋଇଛି। ଏଥିରେ ମୋଟ ୮୨.୭୭% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଏଥିରେ ଝିଅମାନେ ପୁଅଙ୍କ ତୁଳନାରେ ଅଧିକ ସଫଳତା ହାସଲ କରିଛନ୍ତି। ଝିଅମାନଙ୍କ ପାସ୍ ହାର ୮୭.୨୪% ଥିବା ବେଳେ ପୁଅଙ୍କ ପାସ୍ ହାର ୭୭.୮୮% ରହିଛି। ମୋଟ ୧ ଲକ୍ଷ ୪୨ ହଜାର ୫୧୬ ଛାତ୍ର ଏବଂ ୧ ଲକ୍ଷ ୭୪ ହଜାର ୨୫୧ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
ବିଭାଗ ଅନୁସାରେ ପାସ୍ ହାର
- କଳା: ୮୦.୫୧%
- ବିଜ୍ଞାନ: ୮୭.୪୯%
- ବାଣିଜ୍ୟ: ୮୩.୨%
- ଧନ୍ଦାମୂଳକ: ୬୦%
ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀମାନେ https://results.odisha.gov.in କିମ୍ବା https://results.digilocker.gov.in ରେ ଯାଇ ସେମାନଙ୍କ ଫଳ ଦେଖିପାରିବେ। ଏହା ବ୍ୟତୀତ, ସକାଳ ୫ଟା ପର୍ଯ୍ୟନ୍ତ ବିଦ୍ୟାଳୟ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ଇ-ସ୍ପେସ୍ ମାଧ୍ୟମରେ ଟାବୁଲେସନ୍ ରେଜିଷ୍ଟର ମଧ୍ୟ ପ୍ରାପ୍ତ ହୋଇପାରିବ।
ଭୁବନେଶ୍ୱରସ୍ଥିତ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସଚିବ ଶାଳିନୀ ପଣ୍ଡିତ, ପରିଷଦ ଅଧ୍ୟକ୍ଷ ମୃଣାଳକାନ୍ତି ଦାସ ଏବଂ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ଉପସ୍ଥିତିରେ ଫଳ ପ୍ରକାଶ କରାଯାଇଥିଲା।
ଏବର୍ଷ ମାର୍ଚ୍ଚ ୨୭ରେ ଯୁକ୍ତ ୨ ପରୀକ୍ଷା ସମାପ୍ତ ହୋଇଥିଲା। ଖାତା ମୂଲ୍ୟାୟନ ଏପ୍ରିଲ ୨ରୁ ଆରମ୍ଭ ହୋଇ ମେ ୧ ମଧ୍ୟରେ ସମାପ୍ତ ହୋଇଥିଲା। ଏଥିରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ ଯୋଗଦାନ କରିଥିଲେ, ଯେଉଁଥିରେ କଳା ବିଭାଗରେ ୨ ଲକ୍ଷ ୪୭ ହଜାର, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର, ବାଣିଜ୍ୟରେ ୨୫ ହଜାର ଏବଂ ଧନ୍ଦାମୂଳକରେ ୫ ହଜାର ଛାତ୍ରଛାତ୍ରୀ ଥିଲେ।