ଭାରତୀୟ ରେଳବାଇର ନୂତନ ଆପ୍ “ସ୍ୱରେଲ୍, ଗୋଟିଏ ଆପରେ ମିଳିବ ସମସ୍ତ ସୁବିଧା
ନୂଆଦିଲ୍ଲୀ (ସଂକେତ ଟିଭି): ଭାରତୀୟ ରେଳବାଇ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ ଆପ୍ “ସ୍ୱରେଲ୍” ଆରମ୍ଭ କରିଛି। ଏହି ଆପ୍ ଯାତ୍ରୀମାନଙ୍କୁ ଟିକେଟ୍ ବୁକିଂ ଠାରୁ ଆରମ୍ଭ କରି ଟ୍ରେନ୍ ସ୍ଥିତି, ଖାଦ୍ୟ ଅର୍ଡର ଏବଂ ଅନ୍ୟାନ୍ୟ ସୁବିଧା ଗୋଟିଏ ପ୍ଲାଟଫର୍ମରେ ଯୋଗାଇବ। ରେଳ ସୂଚନା କେନ୍ଦ୍ର ଦ୍ୱାରା ବିକଶିତ ଏହି ଆପ୍ ବ୍ୟବହାର କରି ଉପଭୋକ୍ତାମାନେ ସେମାନଙ୍କ ଯାତ୍ରା ସମ୍ବନ୍ଧୀୟ ଯେକୌଣସି ସମସ୍ୟାର ସହଜରେ ସମାଧାନ କରିପାରିବେ।
“ସ୍ୱରେଲ୍” ଭାରତୀୟ ରେଳବାଇର ବିଭିନ୍ନ ଡିଜିଟାଲ ସେବାକୁ ଗୋଟିଏ ପ୍ଲାଟଫର୍ମରେ ସମନ୍ବିତ କରିଛି। ଏହାଦ୍ୱାରା ଯାତ୍ରୀଙ୍କୁ ରେଳବାଇ ସହିତ ଜଡ଼ିତ ଅନେକ ଆପ୍ ଡାଉନଲୋଡ୍ କରିବା ଆବଶ୍ୟକ ହେବ ନାହିଁ। ଏଥିପାଇଁ ଏହାକୁ “ରେଳବାଇର ସୁପର ଆପ୍” ବୋଲି କୁହାଯାଉଛି। ଏବେ ଏହା ବିଟା ଭର୍ଜନରେ ଉପଲବ୍ଧ ହୋଇଛି ଏବଂ ଶୀଘ୍ର ଏହା ସମସ୍ତଙ୍କ ପାଇଁ ଖୋଲା ହେବ।
ଏହି ଆପ୍ ମାଧ୍ୟମରେ ଯାତ୍ରୀମାନେ ରିଜର୍ଭ ବୁକିଂ, ଅନରିଜର୍ଭ ବୁକିଂ, ପ୍ଲାଟଫର୍ମ ଟିକେଟ୍ ବୁକ୍ କରିପାରିବେ। ଏହା ସହିତ ଟ୍ରେନ୍ ଚଳାଚଳ ସମ୍ପର୍କିତ ସର୍ଚ୍ଚ, PNR ଷ୍ଟାଟସ୍, ଫୁଡ୍ ଅର୍ଡର, ଫାଇଲ୍ ରିଫଣ୍ଡ, ଟ୍ରେନର ଲାଇଭ୍ ଷ୍ଟାଟସ୍ ଏବଂ କୋଚ୍ ପୋଜିସନ୍ ଭଳି ଅନେକ ଜରୁରୀ ସୁବିଧା ମିଳିବ।
ତେବେ, ଏହି ନୂଆ ଆପ୍ ଆସିଲେ ବି IRCTC ଆପ୍ର ଗୁରୁତ୍ଵ କମିବ ନାହିଁ। କାରଣ IRCTC ପ୍ଲାଟଫର୍ମ ଟ୍ରେନ୍ ଟିକେଟ୍ ବୁକିଂ ଏବଂ ଟୁରିଜିମ୍ ସେବା ପାଇଁ ଗୁରୁତ୍ଵପୂର୍ଣ୍ଣ ହୋଇରହିଛି। “ସ୍ୱରେଲ୍” ଏକ ଓଣ୍ଡ-ଷ୍ଟପ୍ ସଲ୍ୟୁସନ୍ ଭାବରେ କାମ କରିବ, ଯେଉଁଠାରେ ଟିକେଟ୍ ବୁକିଂ ସହିତ ଅନ୍ୟାନ୍ୟ ସୁବିଧା ମିଳିବ। ଏହି ଆପ୍ ରେଳବାଇର ଡିଜିଟାଲ ସେବାକୁ ସରଳ କରି ବ୍ୟବହାରକାରୀଙ୍କୁ ଉତ୍ତମ ଅନୁଭବ ଦେବ।
“ସ୍ୱରେଲ୍” ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ। ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଲୋକ ଏହାକୁ ଡାଉନଲୋଡ୍ କରିସାରିଛନ୍ତି।