FeaturedHealthLatestNews

୧୮୦ ଦିନର ମାତୃତ୍ୱ ଛୁଟି ନେଇପାରିବେ ମହିଳା ସରକାରୀ କର୍ମଚାରୀ

ଭୁବନେଶ୍ବର (ସଂକେତ ଟିଭି): ମହିଳା ସରକାରୀ କର୍ମଚାରୀମାନେ ମାତୃତ୍ୱ ସମୟରେ ୧୮୦ ଦିନର ଛୁଟି ପାଇବାର ନିୟମ ରହିଛି । ଏହି ଛୁଟି ଦୁଇଟିରୁ କମ୍ ଜୀବିତ ସନ୍ତାନ ଥିବା ମାତାଙ୍କ ପାଇଁ ପ୍ରଯୁଜ୍ୟ । ତେବେ କେଉଁ ଅବଧି ମଧ୍ୟରେ ଏହି ଛୁଟି ନିଆଯାଇପାରିବ, ତାହା ନେଇ ପୂର୍ବରୁ ଦ୍ୱନ୍ଦ୍ୱ ଥିଲା । ଏବେ ସରକାର ଏ ସମ୍ପର୍କରେ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରି ସେହି ଦ୍ୱନ୍ଦ୍ୱ ଦୂର କରିଛନ୍ତି ।

ନୂତନ ନିୟମ ଅନୁଯାୟୀ, ମହିଳା କର୍ମଚାରୀମାନେ ସମ୍ଭାବ୍ୟ ପ୍ରସବ ତାରିଖର ତିନି ମାସ ପୂର୍ବରୁ କିମ୍ବା ପ୍ରସବ ପରେ ଛଅ ମାସ ମଧ୍ୟରେ ୧୮୦ ଦିନର ମାତୃତ୍ୱ ଛୁଟି ନେଇପାରିବେ । ଏହା ବ୍ୟତୀତ, ଯେଉଁ ମହିଳା କର୍ମଚାରୀ ଶିଶୁ ଜନ୍ମ ସମୟରେ ସରକାରୀ ଚାକିରିରେ ନଥାଇ ପରେ ଯୋଗ ଦେଇଛନ୍ତି, ସେମାନେ ଚାକିରିରେ ଯୋଗଦେବା ପରେ ଶିଶୁର ବୟସ ଛଅ ମାସ ହେବା ପର୍ଯ୍ୟନ୍ତ ଛୁଟି ନେଇପାରିବେ । ମାତ୍ର ଏହି କ୍ଷେତ୍ରରେ ଛୁଟିର ଅବଧି ୧୮୦ ଦିନରୁ କମ୍ ହୋଇପାରେ ।

ଗର୍ଭପାତ, ଜନ୍ମ ପରେ ଶିଶୁର ମୃତ୍ୟୁ କିମ୍ବା ମୃତ ଶିଶୁ ଜନ୍ମ ହେଲେ ମଧ୍ୟ ଛୁଟି ପାଇବାର ବ୍ୟବସ୍ଥା ରହିଛି । ଏଥିପାଇଁ ଶିଶୁର ଜନ୍ମ କୌଣସି ସ୍ୱୀକୃତିପ୍ରାପ୍ତ ଚିକିତ୍ସାଳୟରେ ହୋଇଥିବା ଆବଶ୍ୟକ ।

ଯଦି କୌଣସି ମହିଳା କର୍ମଚାରୀ ମାତୃତ୍ୱ ଛୁଟିରେ ଥାଆନ୍ତି ଏବଂ ସେହି ସମୟରେ ତାଙ୍କୁ ପଦୋନ୍ନତି ମିଳେ, ତେବେ ଉଚ୍ଚ ପଦବୀରେ ଯୋଗଦାନ ପାଇଁ ରିପୋର୍ଟିଂ ତାରିଖରୁ ସେ ନୂତନ ପଦବୀରେ ଗଣ୍ଠି ହେବେ । ସେ ଛୁଟିର ଅବଶିଷ୍ଟ ଅବଧି ନିରବଚ୍ଛିନ୍ନ ଭାବେ ନେଇପାରିବେ । ଏହି ଛୁଟି ଏକାଥରକେ କିମ୍ବା ବିଭିନ୍ନ କିଛ୍ଟିରେ ନିଆଯାଇପାରିବ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ ପରେ ଏହି ନିୟମ ପ୍ରଣୟନ କରାଯାଇଛି । ଏହାଦ୍ୱାରା ମହିଳା କର୍ମଚାରୀଙ୍କ ମାତୃତ୍ୱ ସମୟରେ ଛୁଟି ନେବା ସମ୍ବନ୍ଧିତ ସମସ୍ୟାର ସମାଧାନ ହୋଇଛି ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି ।