ଘରେ ପଶି ୧୦ ଲକ୍ଷ ଟଙ୍କାର ଗହଣା ଓ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲାର ସୋର ଥାନା ଅନ୍ତର୍ଗତ ଦୟାନିଧିପୁର ଗାଁରେ ଗତକାଲି ରାତିରେ ଦୁର୍ବୁତ୍ତମାନେ ଘରେ ପଶି ଗୁଳି ଚଳାଇ ଲୁଟ୍ କରିଛନ୍ତି । ୭ ଜଣ ସଶସ୍ତ୍ର ଦୁର୍ବୃତ୍ତ ମୁହଁରେ କଳା ମାସ୍କ ପିନ୍ଧି ଘରେ ପଶି ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍ କରିଛନ୍ତି। ଏହି ଘଟଣାରେ ତିନିଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ରାତିରେ ମଞ୍ଜୁଲତା ନାୟକଙ୍କ ଘରେ ପ୍ରବେଶ କରି ପରିବାରର ସମସ୍ତ ସଦସ୍ୟଙ୍କୁ ହାତ-ଗୋଡ଼ ବାନ୍ଧି ମାରଧର କରିଥିଲେ। ଘରୁ ୧୦ ଲକ୍ଷ ଟଙ୍କାର ଗହଣା ଏବଂ ୫୦ ହଜାର ଟଙ୍କା ନଗଦ ଲୁଟ୍ କରିଛନ୍ତି। ଘର ମାଲିକଙ୍କ ମା ଚୋରମାନଙ୍କୁ ଆସିବା ଆଗରୁ ଫୋନ୍ରେ ପୁଅକୁ ସୂଚନା ଦେଇଥିଲେ। ଯୋଗାଯୋଗ ପାଇ ପଡ଼ୋଶୀ ବଳରାମ ରାଉତ ଓ ପ୍ରଶାନ୍ତ ରାଉତ ଆସିବାରୁ ଚୋରମାନେ ଛାତ ଉପରୁ ଗୁଳିବର୍ଷଣ କରିଥିଲେ। ବଳରାମଙ୍କ ଛାତିରେ ଗୁଳି ବାଜିବା ଫଳରେ ସେ ଗୁରୁତର ଭାବରେ ଆହତ ହୋଇଛନ୍ତି।
ଗ୍ରାମବାସୀଙ୍କ ମତରେ, ସୋର ଅଞ୍ଚଳରେ ପୋଲିସର ନିଷ୍କ୍ରିୟତା ଯୋଗୁଁ ଅପରାଧ ବଢ଼ିବାରେ ଲାଗିଛି। ଏହି ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି, ମାତ୍ର ସ୍ଥାନୀୟ ଲୋକେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅଭିଯୋଗ କରିଛନ୍ତି। ଆହତମାନଙ୍କୁ ପ୍ରଥମେ ସୋର ଡାକ୍ତରଖାନା ଏବଂ ପରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।