FeaturedHealthLatestNews

ଓଡ଼ିଶାରେ ପୁଣି ପ୍ରବେଶ କଲା କରୋନା: ଭୁବନେଶ୍ୱରରେ ଜଣେ ବୟସ୍କ ଆକ୍ରାନ୍ତ

ଭୁବନେଶ୍ବର (ସଂକେତ ଟିଭି): ୩ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ କୋରୋନା ଭାଇରାସ୍ ପୁନର୍ବାର ଦେଖାଦେଇଛି। ରାଜଧାନୀ ଭୁବନେଶ୍ୱରରେ ଜଣେ ବୟସ୍କ ପୁରୁଷ କୋଭିଡ୍-୧୯ ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମିତ ବ୍ୟକ୍ତି ଜଣକ ସମ୍ପ୍ରତି ଦିଲ୍ଲୀରୁ ଫେରିଥିଲେ ଏବଂ ବର୍ତ୍ତମାନ ଘରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। କୋରୋନାର ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କୁ ଟେଷ୍ଟ କରାଯାଇଥିଲା, ଯାହାଫଳରେ ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସଂକ୍ରମିତ ବ୍ୟକ୍ତି ଜଣକ ଏକାଧିକ ରୋଗରେ ପୀଡିତ ଥିବା ଜଣାଯାଇଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଦିଆଯାଉଛି। ସ୍ୱାସ୍ଥ୍ୟ ବିଭାଗ କହିଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଟେ ଏବଂ ଚିନ୍ତାର କାରଣ ନାହିଁ।

ଏହି ମାମଲା ଚିହ୍ନଟ ହେବା ପରେ ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପରିସ୍ଥିତି ଉପରେ କଡ଼ା ନଜର ରଖୁଛି। ସ୍ୱାସ୍ଥ୍ୟ କମିସନର ଅଶ୍ୱଥି ଏସ୍. କହିଛନ୍ତି, “ଏହା ଏକ ପୃଥକ ମାମଲା, କୌଣସି କ୍ଲଷ୍ଟର ବା ବ୍ୟାପକ ସଂକ୍ରମଣର ସୂଚନା ନାହିଁ। ଚିନ୍ତିତ ହେବାର କିଛି ନାହିଁ, କାରଣ ଏହି ଷ୍ଟ୍ରେନ୍ ହାଲୁକା ଏବଂ କମ୍ ଗମ୍ଭୀରତା ଯୁକ୍ତ।”

ସେ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପରାମର୍ଶ ମିଳିଲେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବେ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କଠୋର ନିୟମ ଲାଗୁ କରାଯାଇନାହିଁ।

ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ମୁମ୍ବାଇରେ ଏହି ରୋଗରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି, ଯେଉଁଥିରେ ସାରା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୭ ରେ ପହଞ୍ଚିଛି। ଚୀନ୍ ଓ ସିଙ୍ଗାପୁର ଭଳି ଦେଶମାନଙ୍କରେ ମଧ୍ୟ କୋରୋନାର ନୂତନ ଷ୍ଟ୍ରେନ୍ ଦେଖାଦେଇଛି।

ସ୍ୱାସ୍ଥ୍ୟ ବିଭାଗ ରାଜ୍ୟବାସୀଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛି ଏବଂ ଆବଶ୍ୟକ ସାବଧାନତା ମାନିବାକୁ କହିଛି। ମାସ୍କ ପରିଧାନ, ହାତ ଧୋଇବା ଏବଂ ଜନସମାଗମ ଏଡ଼ାଇ ଚଳିବା ଭଳି ସାଧାରଣ ସୁରକ୍ଷା ନିୟମ ପାଳନ କରିବାକୁ ଉପଦେଶ ଦିଆଯାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଏକାକୀ ଘଟଣା ହୋଇଥିବାରୁ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏହାକୁ ନେଇ ବିଶେଷ ଚିନ୍ତିତ ନଥିବା ବେଲେ ମଧ୍ୟ ଭବିଷ୍ୟତରେ ଯଦି ଅଧିକ ମାମଲା ଦେଖାଦେଏ, ତେବେ କଠୋର ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି।