FeaturedLatestNews

ଓଏସଏସସି ଅଧ୍ୟକ୍ଷ ଭାବେ ସୁଧାକର ବୁର୍ଗୀ ନିଯୁକ୍ତ

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ ସରକାର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ସୁଧାକର ବୁର୍ଗୀଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ (ଓଏସଏସସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବତନ ଡିଜିପି ଅଭୟଙ୍କ ଇସ୍ତଫା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଅଭୟ ୧୯ ମେ ୨୦୨୫ରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଅଭୟଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ବିଜ୍ଞପ୍ତି ଜାରି କରିଛି। ସୁଧାକର ବୁର୍ଗୀଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି, ଯିଏକି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବେ। ତାଙ୍କୁ ୫ ବର୍ଷ କିମ୍ବା ୬୫ ବର୍ଷ ବୟସ ଯାଏଁ ଓଏସଏସସି ସଦସ୍ୟ ଭାବେ ମନୋନୀତ କରାଯାଇଛି। ତାଙ୍କ ଦରମା ଓ ସେବା ସର୍ତ୍ତାବଳୀ ଓଏସଏସସି ନିୟମ, ୧୯୯୫ ଅନୁଯାୟୀ ନିୟନ୍ତ୍ରିତ ହେବ।

ସୁଧାକରଙ୍କ ସହିତ ଜନଗଣନା ନିର୍ଦ୍ଦେଶକ ଉଦୟ ନାରାୟଣ ଦାସ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ପୂର୍ବତନ ପ୍ରଫେସର ଶ୍ରୁତି ଦାସଙ୍କୁ ଓଏସଏସସି ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି।

ଗତ ୨୦୨୧ ଡିସେମ୍ବର ୩୧ରେ ଡିଜିପି ପଦରୁ ଇସ୍ତଫା ଦେଇଥିବା ଅଭୟଙ୍କୁ ୨୦୨୨ ଏପ୍ରିଲ ୧୩ରେ ଓଏସଏସସି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ଏହି ପଦରେ କାର୍ଯ୍ୟ କରୁଥିବା ବେଳେ ନିକଟରେ ଇସ୍ତଫା ଦେଇଥିଲେ, ଯାହାକୁ ସରକାର ଆଜି ଗ୍ରହଣ କରିଛନ୍ତି।