ଦୁର୍ଦାନ୍ତ ଅପରାଧୀ ବାପି ପାଣି ଗିରଫ: ୨ ବନ୍ଧୁକ, ୨୦ ଗୁଳି ସହ ଦାମୀ କାର ଜବତ
ବାଲେଶ୍ୱର (ସଂକେତ ଟିଭି): ବୁଧବାର ରାତିରେ ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନରେ ଥିବା ଦୟାନିଧିପୂର ଗ୍ରାମରେ ଘଟିଥିବା ଲୁଟ ମାମଲାରେ ମୁଖ୍ୟ ଅପରାଧୀ ବାପି ପାଣିଙ୍କୁ ୨୪ ଘଣ୍ଟା ଭିତରେ ଗିରଫ କରାଯାଇଛି। ତାଙ୍କଠାରୁ ୨ଟି ବନ୍ଧୁକ, ୨୦ଟି ଜୀବନ୍ତ ଗୁଳି, ଏବଂ ଏକ ଦାମୀ କାର ଜବତ କରାଯାଇଛି।
ଗତ ରାତିରେ ୯ ଜଣ ଦୁର୍ବୁର୍ତ୍ତ ରବୀନ୍ଦ୍ର ନାୟକଙ୍କ ଘରେ ପ୍ରବେଶ କରି ଘରଲୋକଙ୍କୁ ଆକ୍ରମଣ କରିଥିଲେ। ସେମାନେ ଲହୁଲୁହାଣ ଘଟାଇ ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ କରି ନେଇଥିଲେ। ଗାଁ ଲୋକଙ୍କ ଆଗମନ ପରେ ଅପରାଧୀମାନେ ଗୁଳିବର୍ଷଣ କରି ଦୁଇ ଜଣଙ୍କୁ ଆହତ କରି ପଳାୟନ କରିଥିଲେ।
ଏହି ମାମଲାରେ ଏକ ସ୍କେଚ୍ ମ୍ୟାପ୍ ଆଧାରରେ ବାପି ପାଣିଙ୍କ ଫୋଟୋ ଜାରି କରାଯାଇଥିଲା। ପୁଲିସ ତଦନ୍ତ କରି ବାଗୁଡି ଅଞ୍ଚଳରେ ତାଙ୍କୁ ଗିରଫ କରିଛି। ବାପି ପୂର୍ବରୁ ଭଦ୍ରକ ଏବଂ ଢେଙ୍କାନାଳ ଜିଲ୍ଲାରେ ଦୁଇଥର ଏନ୍କାଉଣ୍ଟରରେ ବଞ୍ଚିଯାଇଥିଲେ। ଜେଲରୁ ମୁକିଳିବା ପରେ ସେ ନିଜ ଅପରାଧିମୂଳକ କାର୍ଯ୍ୟକଳାପ ବଢାଇଥିଲେ। ତାଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ ୧୯ଟିରୁ ଅଧିକ ମାମଲା ରହିଛି।
ପୁଲିସ ଦୟାନିଧିପୂର ଓ ଅନ୍ୟ ଅଞ୍ଚଳର ଲୁଟ୍ସୁନା ସୁନାଗହଣା ଜବ୍ତ କରିଛନ୍ତି। ଏଥିସହିତ ବାପିଠାରୁ ୨ ବନ୍ଧୁକ, ୨୦ ଗୁଳି, ଏବଂ ଏକ ଦାମୀ କାର ମିଳିଛି। ଅନ୍ୟ ସମ୍ଳିଷ୍ଟ ଅପରାଧୀଙ୍କୁ ଧରିବା ପାଇଁ ପୁଲିସ ତୀବ୍ର ତଦନ୍ତ ଚଲାଇଛନ୍ତି।
ଆଜି ସକାଳେ ସୋର ଥାନା ପରିସରରେ ବାଲେଶ୍ୱର ଏସ୍ପି ରାଜ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହି ସଫଳତାର ବିବରଣୀ ଦେଇଛନ୍ତି।