CulturalFeaturedLatestNews

ରଥଯାତ୍ରା ପାଇଁ ଜଗନ୍ନାଥ ମନ୍ଦିରଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ୨୨୦୨୫ ରଥଯାତ୍ରା ପାଇଁ ରାଜ୍ୟରେ ଥିବା ଜଗନ୍ନାଥ ମନ୍ଦିରଗୁଡ଼ିକୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ। ଏହି ସହାୟତା ମୁଖ୍ୟତଃ ରଥ ନିର୍ମାଣ ଏବଂ ରଥଯାତ୍ରା ପାଇଁ ବ୍ୟବହୃତ ହେବ।

ଦେବୋତ୍ତର ଆୟୋଗ ଅଧୀନରେ ଥିବା ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିରକୁ ଏହି ଆର୍ଥିକ ସହାୟତା ମିଳିବ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସମ୍ପର୍କରେ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ପାଇଁ ଅନେକ ଆବେଦନ ଆସିଥିଲା ଏବଂ ଯେଉଁମାନେ ଆବେଦନ କରିନାହାନ୍ତି, ସେମାନଙ୍କ ବିଷୟରେ ମଧ୍ୟ ବିଚାର କରାଯିବ।

ଅନ୍ୟପକ୍ଷେ, ୨୦୨୫ ରଥଯାତ୍ରାର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇସାରିଛି। ଜୁନ ୧୧ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପାଇଁ ନୀତିନିର୍ଘଣ୍ଟ ନିର୍ଧାରିତ ହୋଇଛି। ଜୁନ ୨୬ ତାରିଖରେ ମହାବାହୁଙ୍କ ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଜୁନ ୨୭ ତାରିଖରେ ରଥଯାତ୍ରା, ଜୁଲାଇ ୫ ତାରିଖରେ ବାହୁଡ଼ା ଯାତ୍ରା, ୬ ତାରିଖରେ ସୁନାବେଶ, ୭ ତାରିଖରେ ଅଧରପଣା ଏବଂ ୮ ତାରିଖରେ ନିଳାଦ୍ରି ବିଜେ କାର୍ଯ୍ୟକ୍ରମ ରହିଛି।