୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ବାରିପଦା ପୌରପରିଷଦର ବରିଷ୍ଠ କିରାଣୀ
ବାରିପଦା (ସଂକେତ ଟିଭି): ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଲେ ବାରିପଦା ମ୍ୟୁନିସିପାଲଟିର ଏଷ୍ଟାବ୍ଲିଶମେଣ୍ଟ ସେକ୍ସନର ବରିଷ୍ଠ କିରାଣୀ ଗୋପାଳକୃଷ୍ଣ ପ୍ରଧାନ। ଦୋକାନ ଘର ମାଲିକାନା ପରିବର୍ତ୍ତନ ପାଇଁ ସେ ଅଭିଯୋଗକାରୀଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା।
ଅଭିଯୋଗକାରୀ ମହମ୍ମଦ ଜାଭିର ତାଙ୍କ ବାପାଙ୍କ ମୃତ୍ୟୁ ପରେ ନିଜ ନାମରେ ଥିବା ଦୁଇଟି ଦୋକାନ ଘରର ମାଲିକାନା ପରିବର୍ତ୍ତନ ଲାଗି ଆବେଦନ କରିଥିଲେ। କିନ୍ତୁ, ଗୋପାଳକୃଷ୍ଣ ପ୍ରଧାନ ଦୀର୍ଘଦିନ ଧରି ତାଙ୍କୁ କାମ କରିଦେଉନଥିଲେ। ଶେଷରେ ସେ ଜାଭିରଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେବାକୁ ଦବାଇଥିଲେ। ଏହି ଘଟଣାରେ ଜାଭିର ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଶୁକ୍ରବାର ସକାଳେ ଏକ ଯୋଜନାବଦ୍ଧ ଚଢାଉ ଚାଲିଥିଲା।
ଯେତେବେଳେ ଜାଭିର ଗୋପାଳକୃଷ୍ଣଙ୍କୁ ଲାଞ୍ଚର ଟଙ୍କା ଦେଉଥିଲେ, ସେତେବେଳେ ଭିଜିଲାନ୍ସ ଟିମ୍ ସେହିଠାରେ ହିଁ ତାଙ୍କୁ ଗିରଫ କରିଥିଲେ। ଧରାପଡ଼ିବା ପରେ ଗୋପାଳକୃଷ୍ଣଙ୍କୁ ଅଧିକ ଜେରା ପାଇଁ ବାରିପଦା ଭିଜିଲାନ୍ସ ଅଫିସକୁ ନିଆଯାଇଛି।