କୁଳଡିହା ଅଭୟାରଣ୍ୟରେ ଟ୍ରାପ୍ କ୍ୟାମେରା ଚୋରି କରି ଧରାପଡିଲେ ୫ ସଶସ୍ତ୍ର ଶିକାରୀ
ବାଲେଶ୍ବର (ସଂକେତ ଟିଭି): କୁଳଡିହା ଅଭୟାରଣ୍ୟରେ ଟ୍ରାପ୍ କ୍ୟାମେରା ଚୋରି କରୁଥିବା ୫ ସଶସ୍ତ୍ର ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ଶିକାରୀମାନେ ବନବିଭାଗର ହାତରୁ ବଞ୍ଚିବା ପାଇଁ ୧୫ରୁ ଅଧିକ ଟ୍ରାପ୍ କ୍ୟାମେରା ଚୋରି କରିଥିଲେ।
ସୂଚନା ଅନୁଯାୟୀ, କୁଳଡିହା ଅଭୟାରଣ୍ୟରେ ଶିକାରୀଙ୍କୁ ଧରିବା ପାଇଁ ବନବିଭାଗ ଟ୍ରାପ୍ କ୍ୟାମେରା ଲଗାଇଥିଲା। ହେଲେ, ଶିକାରୀମାନେ ନିଜକୁ ରକ୍ଷା କରିବା ପାଇଁ ଏହି କ୍ୟାମେରାଗୁଡ଼ିକୁ ବାରମ୍ବାର ଚୋରି କରୁଥିଲେ। ପରିଶେଷରେ, ବନବିଭାଗ ଏକ ଯୋଜନା କରି ସ୍ପାଏ କ୍ୟାମେରା ଲଗାଇଥିଲା। ଗତ ୨୮ ତାରିଖରେ ଯେତେବେଳେ ଶିକାରୀମାନେ ଟ୍ରାପ୍ କ୍ୟାମେରା ଚୋରି କରୁଥିଲେ, ସେତେବେଳେ ସ୍ପାଏ କ୍ୟାମେରାରେ ସେମାନେ ଧରାପଡ଼ିଥିଲେ।
ତଦନ୍ତ ପରେ ଆଜି ବନବିଭାଗ ଶିକାରୀଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ନିକଟରୁ କୁଟାରୀ, ସିଂହ, ଧନୁ-ତୀର ଏବଂ ବନ୍ଧୁକ ତିଆରିର ସାମଗ୍ରୀ ଜବ୍ତ କରିଛି। ଘଟଣାଟି କୁଳଡିହା ରେଞ୍ଜ ଅନ୍ତର୍ଗତ ବେତେଇ ବିଟ ଚେମଚଟା ଅଞ୍ଚଳରେ ଘଟିଥିଲା, ଯେଉଁଠି ଶିକାରୀମାନେ ପୁନର୍ବାର ଶିକାର କରିବା ପାଇଁ ପ୍ରବେଶ କରିଥିଲେ।