FeaturedLatestNews

ସନ୍ଧ୍ୟା ୫ଟା ୩୦ ଯାଏଁ ଅଫିସ ଛାଡିବେ ନାହିଁ ଗ୍ରାମ୍ୟ ଉନ୍ନୟନ ବିଭାଗର କର୍ମଚାରୀ

ଭୁବନେଶ୍ବର (ସଂକେତ ଟିଭି): ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ କର୍ମଚାରୀଙ୍କ ପାଇଁ କଡା କାର୍ଯ୍ୟ ସମୟ ନିୟମ ଜାରି କରାଯାଇଛି। ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ, କର୍ମଚାରୀମାନେ ସକାଳ ୧୦ଟା ସୁଦ୍ଧା ଅଫିସରେ ଉପସ୍ଥିତ ରହିବେ ଏବଂ ସନ୍ଧ୍ୟା ୫ଟା ୩୦ ମିନିଟ୍ ପରେ ହିଁ ଅଫିସ୍ ଛାଡିବେ। ଏଥିପାଇଁ ସର୍ବନିମ୍ନ ୭ ଘଣ୍ଟା ୩୦ ମିନିଟ୍ ଅଫିସରେ ଉପସ୍ଥିତ ରହିବାକୁ ପଡିବ।

ଏଥିସହ ବାୟୋମେଟ୍ରିକ୍ ଉପସ୍ଥିତି ବାଧ୍ୟତାମୂଳକ କରାଯାଇଛି। ଯେକୌଣସି କର୍ମଚାରୀଙ୍କର “ଅଫିସ୍ ଆଉଟ୍” ରେକର୍ଡ ନଥିଲେ, ସେହି ଦିନ ତାଙ୍କୁ ଅନୁପସ୍ଥିତ ବୋଲି ଗଣାଯିବ। ଉଲ୍ଲଂଘନ କ୍ଷେତ୍ରରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଧିକାରୀଙ୍କ ମତେ, ଯଦି କୌଣସି କର୍ମଚାରୀ ଦିନ ୧୧ଟା ପରେ ଅଫିସ୍ରେ ପହଞ୍ଚନ୍ତି, ତାଙ୍କୁ ସେହି ଦିନ ପାଇଁ ଅନୁପସ୍ଥିତ ବୋଲି ଧରାଯିବ। ତଥାପି, ଅଫିସ୍ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ବାହ୍ୟ କାମରେ ବ୍ୟସ୍ତ ଥିଲେ ଏହି ନିୟମରୁ ଛାଡ ମିଳିପାରିବ।

ଏହି ନିୟମ ଭଙ୍ଗ କଲେ କର୍ମଚାରୀଙ୍କୁ ଦଣ୍ଡିତ କରାଯିବ। ଯଦି କୌଣସି କର୍ମଚାରୀ ଗୋଟିଏ ଦିନରେ ୪ ଘଣ୍ଟାରୁ କମ୍ ସମୟ କାମ କରନ୍ତି, ତାଙ୍କୁ ଗୋଟିଏ ଦିନର ଛୁଟି କାଟି ଦିଆଯିବ। ଏବଂ ଗୋଟିଏ ମାସରେ ୩ ଦିନ ବିଳମ୍ବରେ ଅଫିସ୍ ଆସିଲେ ଗୋଟିଏ ଦିନର ଛୁଟି ବାତିଲ ହେବ। ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଜଣାଣି ଦେବାକୁ ପଡିବ।

ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ନିୟମକୁ ସକ୍ରିୟ ଭାବରେ ପାଳନ କରାଇବାକୁ ନିର୍ଦ୍ଦେଶ ଦେଇଛି ଏବଂ କର୍ମଚାରୀଙ୍କ ନିୟମିତ ଉପସ୍ଥିତି ନିଶ୍ଚିତ କରିବାକୁ ବାୟୋମେଟ୍ରିକ୍ ସିଷ୍ଟମକୁ ଅଧିକ ପ୍ରଭାବଶାଳୀ କରିଛି।