CrimeFeaturedLatestNews

ମାଓବାଦୀ ସଂଗଠନ ଦୁର୍ବଳ, ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓନେତା ବିଜୟ ପୁନେମ

ରାୟଗଡା (ସଂକେତ ଟିଭି): ମାଓବାଦୀ ସଂଗଠନ ଦିନକୁ ଦିନ ଦୁର୍ବଳ ହୋଇପଡୁଛି। ରାୟଗଡା ପୋଲିସକୁ ଏକ ବଡ଼ ସଫଳତା ମିଳିଛି, ଯେଉଁଥିରେ ବଂଶଧାରା-ଘୁମୁସର-ନାଗାବଳୀ (BGN) ଡିଭିଜନର ହାର୍ଡକୋର ମାଓବାଦୀ ନେତା ବିଜୟ ପୁନେମ ଆତ୍ମସମର୍ପଣ କରିଛି। ବିଜୟ ଛତିଶଗଡ଼ ବିଜାପୁର ଜିଲ୍ଲାର ହୁସୁର ଥାନା ଅଞ୍ଚଳର ବାସିନ୍ଦା ଥିଲା। ତା’ଠାରୁ ଗୋଟିଏ ପିସ୍ତଲ୍ ଓ ୮ ରାଉଣ୍ଡ ଗୁଳି ଜବତ ହୋଇଥିବା ବେଳେ ତାହାର ନାମରେ ଓଡ଼ିଶା ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।

ରାୟଗଡା ଏସପି ସ୍ବାଥୀ ଏସ୍. କୁମାର କହିଛନ୍ତି, ‘‘ବିଜୟ କନ୍ଧମାଳ ଓ ଛତିଶଗଡ଼ରେ ସକ୍ରିୟ ଥିବା ମାଓ ସଂଗଠନର ନେତୃତ୍ୱ ନେଉଥିଲା। ପୋଲିସ ପାର୍ଟି ଉପରେ ଆକ୍ରମଣ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ ଘଟଣାରେ ସେ ଜଡ଼ିତ ଥିଲା। ତା’ ନାମରେ ୭ରୁ ଅଧିକ ମାମଲା ରହିଛି। କନ୍ଧମାଳର ତୁମୁଡିବନ୍ଧ, ରାଇକିଆ, ଗୋଛାପଡା, କୋଠଗଡ଼ ଏବଂ ଛତିଶଗଡ଼ର ଗରିଆବନ୍ଧ ଅଞ୍ଚଳରେ ସେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲା।’’

ଏହି ଘଟଣା ସମ୍ପର୍କରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ମାଓବାଦୀ ସଂଗଠନ ଭିତରେ ବରିଷ୍ଠ କ୍ୟାଡରମାନଙ୍କ ଦ୍ଵାରା ନିମ୍ନ କ୍ୟାଡରମାନଙ୍କୁ ମାନସିକ ନିର୍ଯାତନା, ଖାଦ୍ୟ-ପାଣୀର ଅଭାବ, ସୁରକ୍ଷା କର୍ମୀଙ୍କ ଅପରେସନ, ଭାଷାଗତ ବିତଣ୍ଡା ଇତ୍ୟାଦି କାରଣରୁ ବିଜୟ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲା।

ଓଡ଼ିଶା ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଦେଶରେ ସର୍ବୋତ୍ତମ ବୋଲି ଗଣ୍ୟ ହୋଇଥାଏ। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ଆର୍ଥିକ ସହାୟତା, ଗୃହ ନିର୍ମାଣ, ଶିକ୍ଷା ଏବଂ ବୃତ୍ତିଗତ ପ୍ରଶିକ୍ଷଣ ଦିଆଯାଇଥାଏ। ୨୦୦୬ରୁ ୨୦୨୪ ମଧ୍ୟରେ ରାୟଗଡା ପୋଲିସ ପାଖରେ ୨୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି, ଯେଉଁଥିରେ ସାରା ଓଡ଼ିଶାରେ ଏହି ସଂଖ୍ୟା ୬୪୭ ପର୍ଯ୍ୟନ୍ତ ପହଞ୍ଚିଛି।