ଶୀତଳଷଷ୍ଠୀ ଯାତ୍ରା ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ଦେଲେ ରାଜ୍ୟ ସରକାର
ଭୁବନେଶ୍ବର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରରେ ଆୟୋଜିତ ପ୍ରସିଦ୍ଧ ‘ଶୀତଳଷଷ୍ଠୀ ଯାତ୍ରା’ ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି। ଏହି ଅନୁଦାନ ତାଙ୍କ ନିଜସ୍ୱ ପାଣ୍ଠିରୁ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଶୀତଳଷଷ୍ଠୀ ଯାତ୍ରା ଆମ ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ବାର୍ତ୍ତାବହ। ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବକୁ ନେଇ ଆୟୋଜିତ ଏହି ଯାତ୍ରା ଐତିହ୍ୟସମ୍ପନ୍ନ ଏବଂ ଲୋକପ୍ରିୟ। ଏହାକୁ ଆହୁରି ଭବ୍ୟ କରିବା ସହିତ ଏହାର ପ୍ରଚାର ଓ ପ୍ରସାର ପାଇଁ ଏହି ଅନୁଦାନ ଦିଆଯାଉଛି।”
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, “ଲୋକଙ୍କ ସରକାରରେ ଲୋକପରମ୍ପରା ମହନୀୟ ହେବ ଏବଂ ଓଡ଼ିଆ ଅସ୍ମିତା ଗରିମାମୟ ହେବ। ଏପରି ଧାର୍ମିକ ଓ ସାଂସ୍କୃତିକ ଉତ୍ସବଗୁଡ଼ିକୁ ସରକାର ପ୍ରୋତ୍ସାହିତ କରିବେ।”
ଶୀତଳଷଷ୍ଠୀ ଯାତ୍ରା ସମ୍ବଲପୁରର ଏକ ପ୍ରମୁଖ ଧାର୍ମିକ ଉତ୍ସବ ହୋଇଥିବା ବେଳେ ଏହି ଅନୁଦାନ ଯାତ୍ରାକୁ ଅଧିକ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।