ସୁଲଭ ଘର ଯୋଜନାରେ ୧୫ ଲକ୍ଷ ଟଙ୍କାରେ ଭୂବନେଶ୍ବରରେ ଘର ପାଇବେ ମଧ୍ୟବିତ୍ତ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ସରକାର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ଭୁବନେଶ୍ୱରରେ ସୁଲଭ ଦରରେ ଘର ଯୋଗାଇବାକୁ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁଯାୟୀ, ୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ମଧ୍ୟରେ ବାସସ୍ଥାନ ଉପଲବ୍ଧ ହେବ। ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଏହି ପଦକ୍ଷେପ ଏମଆଇଜି, ଏଲଆଇଜି, ଏଲଆଇଜି-୧, ଏବଂ ଏମଆଇଜି-୨ ଭଳି ବିଭିନ୍ନ ଆୟ ଗୋଷ୍ଠୀର ଲୋକଙ୍କ ଘର ସ୍ବପ୍ନକୁ ସାକାର କରିବ।
ରାଜଧାନୀ ଭୁବନେଶ୍ୱର ଜନବସ୍ତି ବୃଦ୍ଧି ପାଇଥିବାରୁ, ସୁଲଭ ଘର ଯୋଗାଇବା ଦ୍ଵାରା ସହରର ବିକାଶ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି। ଏହି ଯୋଜନା ଅନ୍ତର୍ଗତ ଘରଗୁଡ଼ିକ ଲଟେରୀ ମାଧ୍ୟମରେ ବଣ୍ଟନ କରାଯିବ। ଏଥିପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ନିର୍ଧାରିତ ହେବ ଏବଂ ଧନୀ ବର୍ଗର ଲୋକମାନେ ଆବେଦନ କରିପାରିବେ ନାହିଁ।
ସରକାର ପିପିପି (PPP) ମୋଡ଼୍ରେ ଘର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଟେଣ୍ଡର ଆହ୍ୱାନ କରାଯିବ ଏବଂ ସମବାୟ ବ୍ୟାଙ୍କଗୁଡ଼ିକ ସହିତ ଚୁକ୍ତି କରାଯିବ। ସମବାୟ ବ୍ୟାଙ୍କଗୁଡ଼ିକ ଘରଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ଇଏମଆଇ ସଂଗ୍ରହ କରିବେ।
ଏହି ଘରଗୁଡ଼ିକ ଭୁବନେଶ୍ୱରର ଉପକଣ୍ଠ ଅଞ୍ଚଳରେ ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ମହାନଗର ଅଞ୍ଚଳକୁ ଲକ୍ଷ୍ୟ ରଖାଯାଇଛି, ଯାହାଦ୍ୱାରା ସହରର ବିସ୍ତାର ହେବ ଏବଂ ଯୋଗାଯୋଗ ସୁବିଧା ମଧ୍ୟ ଉନ୍ନତ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ କଟକ ଏବଂ ଅନ୍ୟାନ୍ୟ ପୌର ଅଞ୍ଚଳରେ ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ ହେବ।
ସହରକୁ ବସ୍ତିମୁକ୍ତ କରିବା ପାଇଁ ସରକାର ଭଡ଼ା ଘର ନିର୍ମାଣ କରିବାକୁ ମଧ୍ୟ ଚିନ୍ତା କରୁଛନ୍ତି, ଯେହେତୁ ଘର ଅଭାବ ବସ୍ତି ନିର୍ମାଣର ମୁଖ୍ୟ କାରଣ। ଏହା ସହିତ, ସ୍ୱତନ୍ତ୍ର ଯୋଜନା ମାଧ୍ୟମରେ ସ୍ୱରେଜ୍, ଡ୍ରେନେଜ୍, ରାସ୍ତା ଏବଂ ଲାଇଟ୍ ଭଳି ମୌଳିକ ସୁବିଧା ଯୋଗାଇବାକୁ ମଧ୍ୟ ପ୍ରସ୍ତାବ ରହିଛି।