CrimeFeaturedLatestNews

ଲାଞ୍ଚ ନେବା ଅଭିଯୋଗରେ ଇଡି ଡେପୁଟି ଡ଼ାଇରେକ୍ଟର ଓ ମିଡ଼ିଲମ୍ୟାନ ଗିରଫ

ଭୁବନେଶ୍ୱର (ସଂକେତ ଟିଭି):ଲାଞ୍ଚ ନେବା ଅଭିଯୋଗରେ ଏନଫୋର୍ସ ଡିପାର୍ଟମେଣ୍ଟ (ଇଡି)ର ଡେପୁଟି ଡାଇରେକ୍ଟର ଚିନ୍ତନ ଶ୍ରୀବାସ୍ତବ ଏବଂ ମିଡ଼ିଲମ୍ୟାନ ଭକ୍ତି ବେହେରାଙ୍କୁ ସିବିଆଇ ଗିରଫ କରିଛି । ଜେରା ବେଳେ ଲାଞ୍ଚର ଟଙ୍କା ସମ୍ପର୍କରେ ସ୍ପଷ୍ଟ ବ୍ୟାଖ୍ୟା ନଦେଇପାରିବାରୁ ଉଭୟଙ୍କୁ ଧରାଯାଇଛି । ରାତି ସାରା ସିବିଆଇ ଉଭୟଙ୍କୁ ଜେରା କରି ପ୍ରଶ୍ନ କରିଥିଲା ଏବଂ ମୁହାଁମୁହିଁ ଜେରା ମଧ୍ୟ କରାଯାଇଥିଲା ।

ଗୁରୁବାର ଦିନ ଇଡି ଡେପୁଟି ଡାଇରେକ୍ଟର ଲାଞ୍ଚ ନେବା ବେଳେ ସିବିଆଇ ହାତେ ଧରାପଡିଥିଲେ । ଘଟଣାଟି ଢେଙ୍କାନାଳ ଅଞ୍ଚଳର ଜଣେ ଖଣି ବ୍ୟବସାୟୀଙ୍କ କେସ୍ ରଫାଦଫା କରିବା ପାଇଁ ୨୦ ଲକ୍ଷ ଟଙ୍କା ଲାଞ୍ଚ ଦେବା ସମୟରେ ଘଟିଥିଲା । ଖଣି ବ୍ୟବସାୟୀ ଏନେଇ ସିବିଆଇକୁ ଏହି ସୂଚନା ଦେଇଥିଲେ । ସିବିଆଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ।

ଗତ ଜାନୁଆରି ୮ ତାରିଖରେ ଖଣି ଦୁର୍ନୀତି କେସ୍ କେନ୍ଦ୍ରକରି ରାଜ୍ୟରେ ଏକାଧିକ ସ୍ଥାନରେ ରେଡ଼ ହୋଇଥିଲା । ଏହି କେସ୍‌କୁ ଦବାଇବା ପାଇଁ ୧ କୋଟି ଟଙ୍କାର ଡିଲ୍ ହୋଇଥିବା ଅଭିଯୋଗ ରହିଛି । ଲାଞ୍ଚ ଟଙ୍କା ନେବା ସମୟରେ ପ୍ରଥମେ ମିଡ଼ିଲମ୍ୟାନ ଭକ୍ତି ବେହେରାଙ୍କୁ ଧରାଯାଇଥିଲା । ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଇଡି ଅଧିକାରୀଙ୍କୁ ଗିରଫ କରାଯାଇଛି । ସିବିଆଇ ଜଣାଇଛି ଯେ ଶୁକ୍ରବାର ଦିନ ଡେପୁଟି ଡାଇରେକ୍ଟରଙ୍କୁ ଗିରଫ କରାଯାଇଥିଲା ।